Unknown

 

 

 

 

 

 

 

 

 

ସ୍ୱର୍ଣ୍ଣରେଣୁ

ଶ୍ରୀ ପଦ୍ମଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ରେଲ ଉପରେ ଚିଲିକା ଦର୍ଶନ

 

୰ ପଣ୍ଡିତ ଗୋପବନ୍ଧୁ ଦାଶ

୨.

ଗାନ୍ଧାରୀର ଆଶୀର୍ବାଦ

 

ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ

୩.

ସିଦ୍ଧାର୍ଥଙ୍କ କରୁଣା

 

ଶ୍ରୀ ପଦ୍ମଚରଣ ପଟ୍ଟନାୟକ

୪.

ମହାନଦୀରେ ଜ୍ୟୋତ୍ସ୍ନାବିହାର

 

ଶ୍ରୀ ମାୟାଧର ମାନସଂହ

୫.

ମଥୁରା ମଙ୍ଗଳ (ଷଷ୍ଠ ଛାନ୍ଦ)

 

୰ କବି ଭକ୍ତଚରଣ

୬.

ହିମାଳୟ

 

ଶ୍ରୀ ବଂଶୀଧର ସାମନ୍ତରାୟ

୭.

କପଟପାଶା (ତୃତୀୟ ଛାନ୍ଦ)

 

୰ଶ୍ରୀ ଶଚୀନ୍ଦ୍ର ନାଥ ଦାସ

୮.

ବିରହିଣୀ

 

ଶ୍ରୀ ଶଚୀନ୍ଦ୍ର ନାଥ ଦାସ

୯.

ଆଶ୍ରମେ ପ୍ରଭାତ

 

୰ଗଙ୍ଗାଧର ମେହେର

୧୦.

ରାମ-ପର୍ଶୁରାମ ଭେଟ (ରାମ ବିଭା)

 

୰ ଅର୍ଜ୍ଜୁନ ଦାସ

୧୧.

ବିୟୋଗେ

 

ଶ୍ରୀ ଚନ୍ଦ୍ରଶେଖର ମିଶ୍ର

୧୨.

ଜଗତେ କେବଳ

 

୰ କବିସୂର୍ଯ୍ୟ ବଳଦେବ ରଥ

୧୩.

ଟୀକା

 

 

•••

 

ରେଲ ଉପରେ ଚିଲିକା ଦର୍ଶନ

 

ରହ ରହ କ୍ଷଣେ ବାଷ୍ପୀୟ ଶକଟ

ଦେଖିବି ଚିଲିକା ଚାରୁ ଚିତ୍ରପଟ ।

ଚିତ୍ର ମଣେ, ଯେଣୁ ନାହିଁ ଅନୁଭବ

ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ?

ନୀଳ ବୀଚିମାଳା ଧୀରେ ଧୀରେ ଯାଏ,

ଲାଗଇ ସ୍ୱପନେ ଦେଖିଲା ପରାଏ ।

ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,

ଓଲଟିଣ ତଳେ ଦିଶନ୍ତି ଯୁଗଳ,

ଘୋରନାଦେ ଯହୁଁ ଉଠିଲେ ସେ ନଭେ

ଉଠେ ଶତ ଖଗ ଚିଲିକା ଗରଭେ ।

ସତ୍ୟ ବୋଲି ମନେ ନ ହେଉଁ ପ୍ରତୀତ

ପଲକେ ସେ ଦୃଶ୍ୟ ହୁଏ ତିରୋହିତ ।

ଦୂରେ ଘେନିଯାଏ ନିଦାରୁଣ ଯାନ

ଆସେ ପୁଣି ତରୁ ଶିଳା ବ୍ୟବଧାନ

ନିମେଷେ ଲୁଚାଇ ନିମେଷେ ଦେଖାଏ

ସ୍ୱପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।

କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ

କାହିଁ ବା ଧୂସର କାହିଁ ବା ଧବଳ ।

ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା

ପ୍ରକାଶି ଚିଲିକା, କରୁ କେତେ ମାୟା ।

ଦେବୀ ବୀଣାପାଣି ଶାଶ୍ୱତ ସେବକ

କବି ରାଧାନାଥ ସୁଷମା-ଗ୍ରାହକ,

ଭ୍ରମି ବହୁସ୍ଥାନ ବିଶାଳ ଭାରତେ

ବହୁ ନଦୀ ମରୁ କାନନ ପର୍ବତେ,

ଦେଖିଲେ ପ୍ରକୃତି ବିବିଧ ପ୍ରକାଶ

କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ ।

ସୁଖ ଶାନ୍ତି ପ୍ରୀତି କାହିଁ ଏକାଧାରେ

ନ ପାଇଲେ, ଯଥା ମିଳେ ତୋହଠାରେ ।

ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି

ସାରସ୍ୱତି ନେତ୍ରେ ବାଛି ତହୁଁ ମଣି

ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର

ଅର୍ପିଲେ ଉତ୍କଳ-ଭାରତୀ ଗଳାର,

ଚିରଦିନ ତାହା ରାଜିବ ରୁଚିର

ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର ।

ମୁଁ ଅଧମ ମୋର ଭାବୁକତା ନାହିଁ,

ତଥାପି ଏ ପ୍ରାଣ କେ ଜାଣେ କିପାଇଁ

ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,

ତେଣୁ ଭାବିଥିଲି ଆସି ତୋର କୂଳେ,

ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ

କର୍ମବନ୍ଧେ ଥିଲା ମନ କଥା ମନେ ।

ଏତେ କାଳ ଅନ୍ତେ ପଡ଼ିଥିଲା ଯୋଗ,

ଆହ୍ଲାସ ସୁଯୋଗ ହେଲା ନାହିଁ ଭୋଗ

ରହିଣ ଜଞ୍ଜାଳ ବିଷମ ଜଗତେ

ସଂସାରୀ ସୋଦର ବାନ୍ଧବ ସଙ୍ଗତେ,

ଇଚ୍ଛାମତେ କାହୁଁ ଚଳିବ ବା ଜନ

ସମାଜେ ନିଜର ନୁହେ ନିଜମନ ।

ବସି କେତେ ଥର ନୀରବ ବିଜନେ

ଦେଖିଛି ତୋ ରୂପ କଳ୍ପନା-ନୟନେ ।

ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର

ଅନୁପମ ଦିବ୍ୟ ହିରଣ୍ମୟ କର ।

ଚାରୁ ଶତ୍ରଚାପ ତୋର ବକ୍ଷସ୍ଥଳେ

ନାଚେ ଶତ ଶତ ମୋ କଳ୍ପନା ବଳେ ।

କଳ୍ପନା-ଚିତ୍ରିତ ତୋ ସୁନ୍ଦର ତନୁ

କାଳେ କାଳେ ଆଉ ନ ଯିବ ମୋ ମନୁଁ ।

ଆଜି ଲୋ ଚିଲିକା, କଳ୍ପନା ପ୍ରଭାବେ

ପୂରଇ ମୋ ମନ ଆହା କେତେ ଭାବେ ।

ଅତୀତର ସୁଖସ୍ମୃତି ସମୁଚ୍ଚୟ

ହର୍ଷଖେଦେ କରେ ଆକୁଳ ହୃଦୟ ।

ତୋ ମଧୁର ନାମେ ରହିଛି ଜଡ଼ିତ

ଗଉରବାନ୍ୱିତ ଉତ୍କଳ ଅତୀତ ।

କାହିଁ ଉତ୍କଳର ସେ ସୁକୃତ ରାଶି

ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି

ନିଜେ ନିରଞ୍ଜନ ଜଗତ ଈଶ୍ୱର

ଧରିଣ ସୈନିକ ନର କଳେବର,

ଉତ୍କଳର ଯଶଃ ପ୍ରତିଷ୍ଠା ରକ୍ଷଣେ

ବିଜେ କଲେ ଘୋର ସମର ପ୍ରାଙ୍ଗଣେ ।

କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତ

ପବିତ୍ର ଉତ୍କଳ ଆଜି କି ବିକୃତ ?

ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ

ହରାଇଛି ସବୁ କର୍ମ ଧର୍ମବଳ;

ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି

ହୃଦୟେ ସ୍ୱର୍ଗୀୟ ଧର୍ମଜାତ ଶାନ୍ତି ।

ଜୀବନେ ପବିତ୍ର ଉତ୍ସାହ ଶକତି

ଉତ୍କଳର ଆହା କି ଘୋର ଦୁର୍ଗତି ?

କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ ।

କାହିଁ ସେ ନାବିକ ସରଳ ସଙ୍ଗୀତ ।

ଜଳପଥେ କାହିଁ ବିଦେଶ ଗମନ ।

କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ ?

କଥାରେ ରହିଛି ସବୁ ଆଜିଯାଏ

ସାଧବାଣୀ ବୋହୂ ବୋଇତ ବନ୍ଦାଏ ।

କଙ୍କରିତ ତୋର ଦୃଢ଼ ରମ୍ୟତଟ

ଦୁର୍ଗମ ଶଇଳ ଅଭେଦ୍ୟ ସଙ୍କଟ,

ଖେଳାଉଥିଲେ ତ ଧରି ନିଜ ଦେହେ

ଉତ୍କଳର କେତେ ବୀର ଶିଶୁ ସ୍ନେହେ;

ଅଛି ସେହି ଗିରି, ଅଛି ସେ ବିପିନ,

ଅଛି ତୋର ଶିଳା ସୁଦୃଢ଼ ପୁଲିନ

କିନ୍ତୁ କାହିଁ ଆହା ଏବେ ସେ ବୀରତା

ଓଡ଼ିଆ ଜାତିର ପୂର୍ବ ଜାତୀୟତା !

•••

 

ଗାନ୍ଧାରୀର ଆଶୀର୍ବାଦ

 

ଜନନୀର ପଦେ ନତକରି ଶିର

ମାଗେ କୁରୁ-ଚୂଡ଼ାମଣି,

‘‘ଶତ୍ରୁ ସଇନପଦେ ଦଳି ଆସେ,

ଭିକ୍ଷା ଦିଅ ଜନନୀ !

ଅରାତି ବିହୀନ କରି ଏ ଧରଣୀ

ବିଜୟର ଟୀକା ବହି,

ଫେରି ଆସେ ମାତ, ଦିଅ ଗୋ ଆଶିଷ,

କରଗତ କରି ମହୀ ।

ଶତେକ ପୁତ୍ରଜନନୀ ତୁହି ମା,

ଶ୍ରେଷ୍ଠ ଏ ଧରାତଳେ,

ତୋ ଆଦେଶେ ମାତ ଏ ତିନି ଭୁବନ

ବାନ୍ଧି ପାରିବୁଁ ବଳେ ।’’

 

ଶତେକ ପୁତ୍ରଜନନୀ ଭାଷଇ

କୋମଳ ମଧୁର ଗିର,

‘‘ଅଭିଳାଷ ଯେବେ, ରଣ ପ୍ରାଙ୍ଗଣେ

ଅବତର ଆରେ ବୀର ।

କୁରୁମଣି ! ଘେନ ଆଶିଷ ତୋହର

ଜନନୀର ବରାଭୟ,

ଅକ୍ଷର ହେଉ ପୁଣ୍ୟ ଜଗତେ,

ଧର୍ମର ହେଉ ଜୟ !’’

ହାଇରେ ଜନନୀ ହିୟା କି ନିଠୁର,

ଏ କି ହେଲା ଆଶୀର୍ବାଦ ।

ଜନନୀର ମୁଖେ ଚାହେଁ କୁରୁବୀର,

ଗଣେ ଭୀତି ପରମାଦ ।

ଶାନ୍ତ ମହିମା ଖେଳୁଛି ସେ ମୁଖେ

ଫୁଟିଛି ବିଲୋଳ ହାସ,

ଶତେକ ପୁତ୍ର ସମରେ ପଠାଇ

ନ ଜାଗେ ବେଦନା ତ୍ରାସ ।

ନୟନର କୋଣେ ନ ଜାଗେ ଅଶ୍ରୁ

ବିକଶେ କାନ୍ତ ଜ୍ୟୋତି,

ନିର୍ବାକେ ବୀର ନିରେଖେ ଏ ରୂପ,

ସ୍ତବ୍‌ଧ କାତର ମତି ।

ଆଶିଷ କି ଅବା ଅଭିଶାପ ଏ ଯେ

ପୁତ୍ର ନ ପାରେ ଜାଣି,

ସହଜ ଗତିରେ ବଚନ ଭାଷଇ

ଧୃତରାଷ୍ଟ୍ରର ରାଣୀ–

‘‘ଯାଅ ବୀର ରଣେ, ଧରଣୀ-ବକ୍ଷୁ

ପାପରାଶି ହେଉ କ୍ଷୟ,

ଅକ୍ଷର ହେଉ ପୁଣ୍ୟ ଜଗତେ,

ଧର୍ମର ହେଉ ଜୟ ।

ଶତେକ ପୁତ୍ର ନୁହେ ଖାଲି ମୋର,

ନୁହଇ ବତ୍ସ ଜଣେ,

ସର୍ବେ ମୋହର ପ୍ରିୟ ସନ୍ତାନ

ଆଜି ଏ ଧରମ ରଣେ ।

ଭୀମ ଅର୍ଜ୍ଜୁନ ଧର୍ମନନ୍ଦନ

କେହି ନୁହେ ମୋର ଆନ,

ପାଣ୍ଡବ ସେନା କୁରୁସେନା ବୀର

ମୋଠାରେ ସବୁ ସମାନ ।

ବକ୍ଷୁ ନିଗାଡ଼ି ରୁଧିର ଦେଲା ଯେ

ଶତ ପୁତ୍ରରେ ଢାଳି,

ସବୁ ଜନନୀର ଅନ୍ତର ସେ କି

ନ ପାରେ ହୃଦୟେ ଭାଳି !

କୁରୁ ଚୂଡ଼ାମଣି ତୋ ନିଧନ ଯେତେ

ବେଦନା ଦେବରେ ପ୍ରାଣେ,

ଅର୍ଜ୍ଜୁନ ବଧ ତହୁଁ ଊଣା ଶୋକ

ଦେବ ନାହିଁ ଭଲେ ଜାଣେଁ ।

ଯାଅ ବୀର ରଣେ ଦେଉଛି ମେଲାଣି

ନ କର ଦୁଃଖ ଭୟ,

ଅକ୍ଷର ହେଉ ପୁଣ୍ୟ ଜଗତେ,

ଧର୍ମର ହେଉ ଜୟ ।’’

ଧନ୍ୟ ଜନନୀ ଧନ୍ୟ ସେ ହିୟା,

ଗଠିତ କି ଉପାଦାନେ,

ବିଶ୍ୱେ ସହସ୍ର ସନ୍ତାନ ଲାଗି

ବେଦନା ଗଳଇ ପ୍ରାଣେ ।

‘ଜୟୀ ହୁଅ’ ବୋଲି ଆପଣା ପୁତ୍ରେ

ମୁଖୁ ନ ଫୁଟିଲା ବାଣୀ,

ଶତ ପୁତ୍ରର ଜନନୀ ହୋଇ

କୋଟି ବିଶ୍ୱର ରାଣୀ ।

ଶତ ଜନନୀର ଅନ୍ତର ଜଳ

ଆର୍ଦ୍ର କରିଛି ପ୍ରାଣ,

ଶତ ପୁତ୍ରର ଜନନୀ ଚିତ୍ତେ

ଛୁଇଁ ନାହିଁ ଅଭିମାନ ।

ଭୀମ ଦୁଃଶାସନ ଜୟ ପରାଜୟ

ଗାନ୍ଧାରୀ ନାହିଁ ବୁଝେ,

ସକଳ ସମାନ କରି ସେ ଦେଖଇ

ଆଜି ଧର୍ମର ଯୁଝେ ।

ଗାନ୍ଧାରୀ ଦେଲା ଜନନୀ ପ୍ରାଣର

ସୁମହତ ପରିଚୟ,

‘ଅକ୍ଷର ହେଉ ପୁଣ୍ୟ ଜଗତେ,

ଧର୍ମର ହେଉ ଜୟ ।’

•••

 

ସିଦ୍ଧାର୍ଥଙ୍କ କରୁଣା

 

ଶୁଦ୍ଧୋଦନ ପୁତ୍ର ବିବେକୀ ସିଦ୍ଧାର୍ଥ

କୁସୁମ ଉଦ୍ୟାନେ ଏକାକୀ ବସି,

କି ଗଭୀର ଧ୍ୟାନେ ଥିଲେ ନିଗମନ

କି ଚିନ୍ତା ପରାଣ ଥିଲା ପରଶି !

ବୁଡ଼ି ଯାଉଥିଲେ ଦିନ କାର୍ଯ୍ୟ ସାରି

ପଶ୍ଚିମ ଗଗନେ ଦିନାନ୍ତେ ରବି,

ସିନ୍ଦୂର ଲହରୀ ଖେଳାଇ ପଶ୍ଚିମେ

ନିଜେ ଧରି ରକ୍ତ ଲୋହିତ ଛବି ।

ନୀଡ଼ ଅଭିମୁଖେ ଉଡ଼ି ଯାଉଥିଲେ

ଗାଇ ସୁମଧୁର ମେଲାଣି ଗୀତ

ଦଳେ ଦଳେ ପକ୍ଷୀ ଗଗନ-ବକ୍ଷରେ

ହରଷେ ହରିଣ ଜଗତ ଚିତ୍ତ;

ଶୁକ୍ଳ ମେଘଖଣ୍ଡ ଗିରି ରାଜହଂସ

ଦଳ ଭାସି ଯାଉଥିଲେ ଗଗନେ,

ଗୋଟିଏ ସେଥିରୁ ବ୍ୟାଥା ପାଇ ବକ୍ଷେ

ପଡ଼ିଲା ସିଦ୍ଧାର୍ଥ ଚାରୁ ଚରଣେ ।

‘‘କି ହେଲା, କି ହେଲା,’’ କହିଲେ ବିକଳେ

କୁମାର ଦେଖି ଏ ପକ୍ଷୀ କଷଣ;

କୋମଳ ଶ୍ରୀକରେ       କେତେ ଯତନରେ

ବକ୍ଷୁଁ ତାର ଶର କଲେ ମୋଚନ ।

ବହିଲା ପହିଲେ କୁମାରଙ୍କ ବକ୍ଷେ

ବିଶ୍ୱବ୍ୟାପୀ-ଦୟା-ପୁଣ୍ୟ-ଝରଣା,

ସୁକୁମାର ପକ୍ଷୀ ପ୍ରାଣର ଆଘାତେ

ବିକଳେ ସେ କ୍ଷଣେ ହୋଇଲେ ବଣା ।

ପକ୍ଷୀରକ୍ତ ସଙ୍ଗେ ନିଜ ଅଶ୍ରୁ ଧାରା,

ମିଶାଇ କୁମାର ଧରିଲେ ବକ୍ଷେ,

କରୁଣାରେ ଆର୍ଦ୍ର ହୋଇ ମହାଦୁଃଖେ

ଦେଲେ ଜଳ କଣ୍ଠେ ଆହତ ପକ୍ଷେ ।

ଜନନୀର ସ୍ନେହ କରୁଣା ଲଭିଣ

ପକ୍ଷୀ ମୁଖ ଟେକି ମେଲି ନୟନ,

ଚାହିଁଲା ସିଦ୍ଧାର୍ଥେ ସତେ ବା ଲଭିଲା

ଶରାହତ ପକ୍ଷୀ ନବ ଜୀବନ ।

ଉଭୟେ ଉଭୟ ମୁଖେ ଅନାଇଲେ

କରୁଣାରେ ଦୁଇ ନୟନ ଭରା,

ସତେ କି ସରଗୁଁ ଓହ୍ଲାଇ ଆସିଲା

ଦୟା-ମନ୍ଦାକିନୀ ଅମିୟ ଧାରା !

ସିଦ୍ଧାର୍ଥ-ପିତୃବ୍ୟ- ପୁତ୍ର ଦେବଦତ୍ତ

ଧନୁଶରକରେ ସିଦ୍ଧାର୍ଥେ ରାଇ,

କହିଲେ, ‘‘ସିଦ୍ଧାର୍ଥ,       ମୁଁ ଶର ବିନ୍ଧିଛି,

ତେଣୁ ଏହି ପକ୍ଷୀ ମୋହର ଭାଇ;

ମୃଗୟା ନିୟମ ଯାହା ଶରେ ହତ

ଆହତ ହୁଅଇ ପ୍ରାଣୀ ଯେଠାରେ

ଥାଉ ପଛେ ତାର; ଏ ବିଧି ବିଧାନ

ଜଣା ନୁହେ କିହେ ତୁମ୍ଭଙ୍କୁ ବାରେ ?’’

ଶୁଣି ଏହି ବାକ୍ୟ ବୋଇଲେ ସିଦ୍ଧାର୍ଥ

‘‘ଜୀବ ହତ୍ୟାକାରୀ ପାଇବ ଜୀବ ।

ଏ କେଉଁ ବିଚାର ଯେ ରଖିଲା ପ୍ରାଣ

ଜୀବେ ଅଧିକାର ତାର ନ ଥିବ ।

ହଂସ ପ୍ରାଣ ବ୍ୟଥା ଦେଇଅଛି ଶିକ୍ଷା,

ଜୀବ-ପ୍ରାଣ-ବ୍ୟଥା କିବା ବିଷମ ।

ନିଅ ପଛେ ତୁମ୍ଭେ ଶାକ୍ୟରାଜ୍ୟ ଦେବି

ଏ ମରାଳ ମୋର ପରାଣଧନ ।

ମୁହିଁ ଏହି ଧନ ନ ଛାଡ଼ିବି ଜାଣ,

ଦେଇଛି ଏ ମୋତେ ପରମ ଶିକ୍ଷା;

ଏ କ୍ଷୁଦ୍ର ମରାଳ ମୋ ପରମ ଗୁରୁ;

ଲଭିଛି ଆଜି ମୋ ଜୀବନ ଦୀକ୍ଷା ।’’

କରୁଣାର ମୂର୍ତ୍ତି କୁମାରଙ୍କୁ ଦେଖି

ସ୍ତମ୍ଭିତ ବିସ୍ମିତ ହୋଇଲେ କ୍ଷଣେ,

ବୀର ଦେବଦତ୍ତ ମୃଗୟା ଭୁଲିଲେ

ମଉନେ ଫେରିଲେ ନିଜ ସଦନେ ।

ମାତୃହୃଦ ସ୍ନେହ ଶୁଶ୍ରୂଷା ଲଭିଣ

ବକ୍ଷକ୍ଷତ ବ୍ୟଥା ଶମିଲା ଖରେ

ଉଡ଼ିଲା ମରାଳ ସୁଖେ ନୀଳ ନଭେ

ଗାଇ ଏ କରୁଣା କଳକଣ୍ଠରେ ।

•••

 

ମହାନଦୀରେ ଜ୍ୟାତ୍ସ୍ନା-ବିହାର

 

ଶିଳାଗୃହ-ଅନ୍ଧକାରବାସୀ ମୁଁ ଜନନୀ

ଧରଣୀ, ନ ଥିଲି ଜାଣି, ଅଛି ଲୋ ତୋ ପୁରେ

ଏମନ୍ତ ରୂପର ଲୀଳା, ନ ବାହୁଁ ତରଣୀ

ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀପୁରେ ।

ଆହା କି ବିପୁଳ ଶୋଭା ଭାସେ ଆଖି ଆଗେ,

କେମନ୍ତେ ବର୍ଣ୍ଣିବି ମୋର ମୁଗ୍‌ଧ ଅନୁଭବ,

ଚକ୍ଷୁ ମୋର ଅନ୍ଧ ହୁଏ ଜ୍ୟୋଛନା-ପରାଗେ,

ବାଣୀ ମୋର ନାହିଁ ଫୁଟେ, ମାନି ପରାଭବ ।

ଧବଳ ଉତ୍ତରୀ ସମ ରଜନୀ-ବଧୂର

ଜ୍ୟୋଛନା, ବ୍ୟାପିଛି ଦୂର ଦିଗଚକ୍ର ଲାଗି,

ତଳେ ତାର ଏ ଧରଣୀ, ପ୍ରକୃତି ମଧୁର

ହୋଇଛି ମଧୁରତର ତା ପରଶେ ଜାଗି ।

ଆକାଶର ଖଣ୍ଡ ସମ ମହାନଦୀ ବାରି

ଚନ୍ଦ୍ରିକା-ଚୁମ୍ବନ ପାଇ ଧବଳ-ଚପଳ,

ତରଳ ମୁକୁର ଅବା ଦେଇଛି କେ ପାରି,

ଦେଖିବେ ବଦନ ନଭ-ସୀମନ୍ତିନୀଦଳ ।

ଦୁଇକୂଳେ ବୃକ୍ଷରେଖା ଜ୍ୟୋଛନାଧଉତ,

ପାଣ୍ଡୁର ଆଲୋକେ ଧରି ତନ୍ଦ୍ରାଳୟ ଶିରୀ

ସ୍ୱପ୍ନ-ପୁରୀ କରେ ସୃଷ୍ଟି । ଅଳସ ମରୁତ

ଜ୍ୟୋଛନା-ମଦିରାମତ୍ତ ବହେ ଥିରି ଥିରି ।

ଅଙ୍ଗେ ଘେନି ମହାନଦୀ-ଶୀକର ନିଷେକ

ଦୂରେ ଓ ନିକଟେ ଦିଶେ ନଦୀ ପଠା ଶତ-

ଶରବଣ ଶ୍ୟାମଚ୍ଛବି; ଦୀର୍ଘୀକୃତ ବେକ

ବିରହୀ ଚକୋର ଯହିଁ କାନ୍ଦେ ଅବିରତ ।

ଦୂରବାହୀ ନାଉରିର ସରଳ ସଙ୍ଗୀତ

ପବନେ ଆସଇ ଭାସି ନଦୀ ବକ୍ଷପରେ,

କ୍ଷେପଣୀ ଆଘାତେ ଦେଖ ଚନ୍ଦ୍ରିକାରଞ୍ଜିତ-

ନଦୀବାରି, ଲକ୍ଷ ରୌପ୍ୟ ପୁଷ୍ପ ସୃଷ୍ଟି କରେ ।

ପଶ୍ଚାତେ ପ୍ରସାର-ଶୀଳ ଶୁଭ୍ର ବାରିରାଶି

ମିଶଇ ଆକାଶତଳେ; ସମ୍ମୁଖେ ମୋହର

ଗମ୍ଭୀର ସୁନ୍ଦର ଗିରିମାଳା ଉଠେ ଭାସି

ଚନ୍ଦ୍ରିକା ଚନ୍ଦନେ ଚର୍ଚ୍ଚା ନୀଳ କଳେବର ।

ଉଠିଛି ଶିଖରମାଳା-ପଶ୍ଚାତୁଁ ଆକାଶ

ସନ୍ନ୍ୟାସିନୀ ମୁଖ ସମ ପ୍ରଶାନ୍ତ ଧବଳ

ତା ତଳେ ରଜନୀବଧୂ ଚନ୍ଦ୍ରିକାର ବାସ

ଉଡ଼ାଇ ଧରଣୀ କରେ ପରଶେ ଉତ୍ଥଳ ।

ଏ ବିରାଟ ଚିତ୍ରଗୃହେ ଅତିଥି ମୁଁ ଦୀନ

ମୁଗ୍‌ଧ ସମ ରହେ ଚାହିଁ ମହାମହିମାରେ,

ଭାବଇ ବା ହୋଇ ଏହି ଜ୍ୟୋତ୍ସ୍ନାରେ ପ୍ରଲୀନ

ଭୋଗନ୍ତି ଯେ ସୁଧା ଝରେ ଆଜି ଏତେ ଧାରେ ।

ହାୟ ଲୋ ଉତ୍କଳଭୂମି ପ୍ରକୃତି-ସୁନ୍ଦର,

ମନ୍ଦାକିନୀ ସମ ନଦୀ, ମାରକତ ଗିରି,

କାନନେ, କେଦାରେ ଲକ୍ଷ ଶୋଭାର ବହର

ଥାଉଁ ତୋର, କହ କିପାଁ ଏତେ ହତଶିରୀ ?

ଏ ସ୍ୱର୍ଗ ସୁଷମା ଯାର, କରିବି ବିଶ୍ୱାସ

କେମନ୍ତେ କହ ଲୋ, ତାର ଅନ୍ନର ଅଭାବ ?

ସୁରା ସମ ମୁଗ୍‌ଧ କରେ ମୋରେ ଯା ନିଃଶ୍ୱାସ,

ତା ଦେହେ ସମ୍ଭବେ କାହୁଁ ଦୁର୍ଦ୍ଦିନ-ପ୍ରଭାବ ?

କାନନ ଶ୍ୟାମଳ ବାସ, ଶିଖରୀ ମୁକୁଟ,

ଚରଣ ଚୁମ୍ବଇ ମହାସାଗର ଲହରୀ,

ଏ ବେଶେ ହୁଅଇ ଯାର ମହିମା ପ୍ରକଟ,

କେମନ୍ତେ ଭାବିବି ତାରେ ଅଭିଶପ୍ତା କରି ?

ଆଜି ତୋର ଇତିହାସ-ସାକ୍ଷୀ ଏ ତଟିନୀ-

ଜଳେ ମୋ ତରଣୀ ଯେବେ ଭାସିଯାଏ ଧୀରେ,

ଜନନି, ଗୌରବ ତୋର କଳ୍ପନା ସଙ୍ଗିନୀ

ଗୋଟି ଗୋଟି ଦ୍ରୁତେ କାଢ଼ି ଦିଏ ମୋ ସ୍ମୃତିରେ ।

ସେ ଦିନ ତୋ ଗିରି ସଙ୍ଗେ, ତୋର ଗଜପତି

ତୋଳିଲା ସ୍ପର୍ଦ୍ଧାରେ ତାର ଦୁର୍ଗ ଅଭ୍ରଙ୍କଷ,

ତୋହର ଏ ନଦୀ ସମ ମହା ନରପତି

ହୃଦରେ ଉଦାର କରି ଜିଣି ନେଲା ଯଶ ।

ସେ ରାଜା ଯାଇଛି ଚାଲି, ଦୁର୍ଗ ତାର ନାହିଁ,

ତା ସଙ୍ଗେ ଯାଇଛି ପୁଣି ସେ ବୀରହୃଦୟ,

ତୋହରି ଅତୀତ ମା ଗୋ ଆଜି ଥାଇ ଥାଇ

କରେ କ୍ରୂର ପରିହାସ ଘୋର ବ୍ୟଥାମୟ ।

ତରଣୀ ଚଳଇ ମୋର ବାରବାଟୀ ତଳେ,

ରହ ରେ ନାଉରି, ଦଣ୍ଡେ ଭିଡ଼ ଏଥି ତରୀ,

ମଥା ମୋ ଲଗାଇ ପୂତ ସୋପାନ-ପ୍ରସ୍ତରେ,

ଦିଏଁ ଅପଦାର୍ଥ-ପ୍ରାଣେ କୃତକୃତ୍ୟ କରି ।

ସେ ଦିନ ଏ ଶିଳାପରେ ଅବଗାହେ ଆସି

ସୁକୁମାରୀ ରାଜବାଳା ଆଙ୍କିଥିବ ତାର

ଲାକ୍ଷାରକ୍ତ ପଦଚ୍ଛବି କରି ମତ୍ତକାଶୀ

କଠିଣ ପାଷାଣଦେହେ ଆନନ୍ଦ-ସଂଚାର ।

ସେ ଦିନ ସଜନୀମେଳେ ରୂପସୀ ମହିଷୀ

ଏକ କରେ ଦୁର୍ବାକ୍ଷତ, ଶଙ୍ଖ ଆନ କରେ,

ବିଜୟୀ ପୁତ୍ରରେ ଶିରେ ମଙ୍ଗଳ ଆଶିଷି

ବନ୍ଦି ନେଇଥିବେ ଗୃହେ ଏହି ଶିଳାପରେ ।

ସେ ଦିନ ଏ ଶିଳାପରେ ନାଗରିକା ଶତ

ହରିଦ୍ରା ପ୍ରଲେପେ ରଞ୍ଜି କନକ ବଦନ

ବନ୍ଦିଥିବେ ଶଙ୍ଖ ବାଇ ଝଂଜାର ବୋଇତ

କରିଛି ଯେ ଯବନୀୟ ମୁକ୍ତା ଆନୟନ ।

ସେ ଦିନ ଏ ଶିଳାପରେ ନଗର-ଜନନୀ

ଏକତ୍ରେ ପଠାଇ ପୋତେ ସନ୍ତାନେ ସମରେ

ଚାହିଁଥିବେ ଦୂର ଦିଗେ, ସେ ବୀର ରମଣୀ

ଲୁଚାଇ ଆଖିର ଲୁହ ଅପମାନ-ଡରେ

ସେ ଦିନ କାହିଁ ଗୋ ଶିଳା ? ଏ ଦୁର୍ଗର ଛାୟା

ମାଡ଼ି ଏ ତଟିନୀଜଳେ ଚକୋରୀ-ଚକୋରେ

ଆଣେ ଯେବେ ନିଶା-ଭୀତି । ଜୀବନର ମାୟା

ଏ ଜାତି ନ ଥିଲା ଜାଣି ବିପତ୍ତର କୋଳେ !

ଚିରଦିନ ପାଇଁ ସେ କି ଯାଇଛନ୍ତି ଚାଲି,

ନ ଫେରିବେ ରାଜା ରାଣୀ, ନ ଫେରିବେ ବୀରେ ?

ବୋଇତ ବନ୍ଦାଣ ଲାଗି ଏ ତଟିନୀ ବାଲି

ନାଗରିକା ପଦପ୍ରାନ୍ତ ନ ଚୁମ୍ବିବ ଧୀରେ ?

ଦୁର୍ଗ ଆଉ ଉଠିବନି ? ରାଜାର ବୋଇତ

ନ ଫେରିବ ମୁକ୍ତା ଧରି ଏ ତଟିନୀ ବାହି,

ନଗରର ବଧୂ ଯେତେ ମଙ୍ଗଳ ସଙ୍ଗୀତ

ନ ବନ୍ଦିବେ ତାରେ କେବେ, ମଧୁକଣ୍ଠେ ଗାଇ ?

ସେ ସୌଭାଗ୍ୟ ଶେଷେ, ହାୟ, ଏ ଜାତିର ଶେଷ

ନ କଲା ବିଧାତା କିମ୍ପା ? ସେ ଗୌରବ ପରେ

ବଞ୍ଚିବା ଧରି ଏ ଖାଲି କଙ୍କାଳ ବିଶେଷ

ବିଶ୍ୱ ଆଗେ, ମରଣରୁ ଶତଗୁଣେ ବଳେ ।

ଏମନ୍ତ ଜ୍ୟୋଛନାରାତେ ସେ ଦିନ ଏ ସ୍ଥଳୀ

କି ଶୋଭା ଧରଇ ଅୟି କଳ୍ପନା ସଜନି,

କହ ମତେ । ଶତ ଶତ ନାଗରିକେ ତରୀ

ବାହି କେହ୍ନେ କରୁଥିବେ ମୁଖରା ରଜନୀ ।

ନୃପତିର ଗଜଦନ୍ତ ତରୀ ଥିବ ଆଗେ,

ମୁଖରା ଗାୟିକା କଣ୍ଠେ; ସୁଗନ୍ଧେ ଉତଳା;

ନୃପତି-କୁଣ୍ଡଳ-ମଣି ଚନ୍ଦ୍ରିକାର ରାଗେ

ଝଲସେ; କମ୍ପଇ କର୍ଣ୍ଣେ କୁସୁମର ଝରା ।

ରାଜତରୀ ପାଶେ, ପଛେ, ଶତ ତରୀ ବାହି

ଚଳନ୍ତି ନଗରଜନେ ବିଳାସକୁଶଳ

ମୁଖରା କରି ଏ ନଦୀ ଉଚ୍ଚେ ଗୀତ ଗାଇ,

ଉଦ୍ଦାମେ କ୍ଷେପଣେ କରି ଆକୁଳ ଏ ଜଳ ।

ଉର୍ଦ୍ଧ୍ୱେ ତେଣେ ଚନ୍ଦ୍ରଶାଳାପୁରେ ରାଜରାଣୀ

ସ୍ୱର୍ଣ୍ଣଦୀପ ପଛେ ରଖି ବାତାୟନ-ମୁଖୀ

ଦେଖନ୍ତି ଏ ମହାଲୀଳା, ଫୁଟେ ନାହିଁ ବାଣୀ

ବଦନେ ଆସେ କି ଭାଷା ପ୍ରାଣ ହେଲେ ସୁଖୀ ?

ଆନ କକ୍ଷେ ରାଜବଧୂ କୋମଳା କେଶରୀ

ସୁନ୍ଦରୀ ସଜନୀ ମେଳେ ଧରି ଫୁଲହାର

ଦେଖନ୍ତି ଚନ୍ଦ୍ରମା ଶୋଭା ଚନ୍ଦ୍ର-ମୁଖ ତୋଳି,

ଏ କାଳେ ମିଳିଲେ ପାଶେ ନୃପତିକୁମାର ।

ତୀରେ ବାଦ୍ୟ-ନହବତ, କମ୍ପଇ ଧରଣୀ,

ସେ ପାର ପର୍ବତମାଳା ଦିଏ ପ୍ରତିଗିର,

ମନ୍ଦ୍ର ଉଠେ ଦୁର୍ଗକକ୍ଷ; ରାଜାର ତରଣୀ

ନଚାଏ ଉନ୍ମାଦେ ନୀଳ ମହାନଦୀନୀର ।

ସେ ଦିନ ମୁଁ ଥାଆନ୍ତି କି ରାଜନ ଗହଣେ;

ବିଧାତା, ହୃଦୟ ଭରି ଗାଇଥାନ୍ତି ଗୀତ;

ଗୁଣଗ୍ରାହୀ ରାଜା ମୋର ରତ୍ନ ବିତରଣେ

ତୋଷି କି ନ ଥାନ୍ତେ ଏଇ ଦରିଦ୍ରର ଚିତ୍ତ ?

ଫେରିବା କହୁଛ ବନ୍ଧୁ, ପୁଣି ଅନ୍ଧକାରେ ?

ଫେରିବାକୁ ହେବ ସତେ ? ହାୟ ଏ ଜୀବନ ।

ଅବସର ନାହିଁ ମିଳେ କ୍ଷଣେ ଭୁଲିବାରେ

ଜୀବନର ହାହାକାର, ପ୍ରାଣର ଦହନ ।

ଚନ୍ଦ୍ରମା ଉଠିଛି ଊର୍ଦ୍ଧ୍ୱେ; ବିରାଟ ଧରଣୀ

ନୀରବ, ନିସ୍ତବ୍ଧ, ଶାନ୍ତ । ମହାନଦୀଜଳ

କ୍ଳାନ୍ତ ଶିଶୁ ସମ ଶାନ୍ତ । ଉଜ୍ଜ୍ୱଳ ରଜନୀ

ପକ୍ଷ ପାତି ଆବରିଛି ନଭ ଜଳ ସ୍ଥଳ ।

ଏ ମହାନୀରବ କ୍ଷଣେ, ଏ ଜ୍ୟୋଛନା ତଳେ

ମୁଗ୍ଧ ମୁଁ ଅନାଇଁ ଏହି ବିପୁଳ ଶୋଭାରେ,

ଅନୁଭବେଁ ଆହା କାର ସ୍ପର୍ଶ ଏ ଅନ୍ତରେ

ବଚନୁ ଅତୀତ, ମୁହିଁ ପ୍ରଣମେ ତାହାରେ ।

ସେ ଯେ ସତ୍ୟ, ଶିବ ସେହି, ଏକା ସେ ସୁନ୍ଦର,

ଭୂମା ସେ ରହିଛି ପୂରି ରେଣୁ ରେଣୁ ଭେଦି;

ଅନନ୍ତ ଲୀଳାର ହେତୁ; ଅସୀମ ହୁନ୍ଦର

କ୍ଷଣକେ ସୃଜେ ସେ ତାର ମହାପୂଜାବେଦୀ,

ବନ୍ଧୁ ହେ, ପାଇଛି ଆଜି ଏ ଆକାଶତଳେ,

ମୋ ଜାତି ଅତୀତ-ସାକ୍ଷୀ ଏ ନଦୀପୁଳିନେ

ଜ୍ୟୋତ୍ସ୍ନାର ଏ ମହାଭୋଜ୍ୟେ; ଏ ତରଣୀ ପରେ

ଜାନୁପାତି ବନ୍ଧୁ, ତାରେ ଘେନ ହେ ଜୀବନେ ।

ଇଚ୍ଛା ମୋ, ହୁଅନ୍ତା ଏହି ନିର୍ମଳା ରଜନୀ

ଅସରା; ମୁଁ ଖୋଜୁଥାନ୍ତି ସତ୍ୟ ଶୁଭ ତାରେ

ଏ ସୁନ୍ଦର ଜ୍ୟୋତ୍ସ୍ନାତଳେ, ବାହି ଏ ତରଣୀ

ମୃତ୍ୟୁଯାଏ; ନ ଫେରି ସେ ମହାଅନ୍ଧକାରେ !

•••

 

ମଥୁରା ମଙ୍ଗଳ

(ଷଷ୍ଠ ଛାନ୍ଦ)

 

ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୂବନ

କାହା ମୁଖ ଅନାଇ ବଞ୍ଚିବି

ହେବ ଦଶ ଦିଗ ଶୂନ୍ୟ ଅଥିର ହେବ ଜୀବନ

ନିଶି ଦିବସରେ ଝୁରୁଥିବି ରେ ଜୀବଧନ ।

ଜୀବନ ବିହୁନେ ଯେହ୍ନେ ଝସ,

ରାଜା ବିନେ ଯେହ୍ନେ ଗ୍ରାମ ଦେଶ ରେ ।

 

କାହା ଅଙ୍ଗେ ଚତୁସମ ଲେପିବି କରି ସୁଷମ

ନିଦ୍ରାରେ କେ ହେଉଥିବ ଘାରି,

କାହାକୁ ଅଞ୍ଜନ ଦେବି, ବସ୍ତ୍ର ପାଡ଼ି ଶୁଆଇବି,

ପିତାଙ୍କୁ ମାଗିବ କେହୁ ହରି ରେ ଜୀବଧନ ।

ଏକଥା ସୁମରି ଯିବି ମରି,

ନିଶ୍ଚେ ଯେବେ ଯିବୁ ମଧୁପୁରୀ ରେ ।

 

ବାନ୍ଧିବି କାହାର କେଶ କୁସୁମେ କରି ସୁବେଶ

କାହା ଲଲାଟରେ ଦେବି ଚିତା

କାହାର କର୍ଣ୍ଣେ କୁଣ୍ଡଳ ଖଞ୍ଜିବି ରେ ମୋର ବାଳ

କାହା ପାଇଁ କରୁଥିବି ଚିନ୍ତା ରେ ଜୀବଧନ ।

କାହା ଅଙ୍ଗୁ ଧୂଳି ଦେବି ପୋଛି

କାହାକୁ ବା ପିନ୍ଧାଇବି କାଛି ରେ ।

 

ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ

ନିମିଷେ ବିଚ୍ଛେଦ ନ ସହଇ,

ଏବେ ଯିବୁ ମଥୁରାକୁ ମୋତେ ସମର୍ପି କାହାକୁ

ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ ରେ ଜୀବଧନ ।

ଜୀବନ ହାରିବି ଗଣ୍ଡ ଜଳେ

ତୁ ମୋତେ ଅନ୍ତର ହେଲେ ତିଳେ ରେ ।

 

ସର ଲବଣୀ ଅଧାମ ପକ୍ୱ ରମ୍ଭା ସୁଧାସମ

ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ

ଯେତେ ରୂପେ ନାଳିଆଇ ପରଷଇ ବଳିଆଇ

କୋପେ ଉଠି ପାକଭାଣ୍ଡ ଭାଙ୍ଗୁ ରେ ଜୀବଧନ ।

ଏବେ ଦୂର ହୋଇବ ସେ କଥା

କି ନ କରେ ଦାରୁଣ ବିଧାତା ରେ ।

 

ଛାଇକି ଅନାଇ ଡରୁ, ଧାଇଁ ମୋତେ କୋଳ କରୁ

ବସନେ ଘୋଡ଼ାଉ ମୁଖ ଗୋଟି

ହୋଉ ଥାଉ ଥରହର ଦେଖିଲେ ଅନ୍ଧାର ଘର

ଉଚ୍ଚ ପାବଚ୍ଛ ନ ପାରୁ ଉଠି ରେ ଜୀବଧନ ।

ମଧୁପୂରେ ହସ୍ତୀ ଘୋଡ଼ାମାନ

ଗର୍ଜିଲେ ନ ପୁଣ ଡରୁ ଶ୍ୟାମ ରେ ।

 

କାନ୍ଥେ ଦେଖି ଚିତ୍ରପନ୍ତି ନାନା ଭୟଙ୍କର ମୂର୍ତ୍ତି

ଭୟେ ଯାଉ ସେ ଘରୁ ପଳାଇ

ଏବେ କଂସପୁର ଯିବୁ ରାକ୍ଷସମାନ ଦେଖିବୁ

ଡରି କାହାକୁ ଧରିବୁ ଯାଇରେ ଜୀବଧନ ।

ମାଏ ବୋଲି ଡାକିବୁ କାହାକୁ

ସାହା ବା କେ ଆହା ବୋଲିବାକୁ ରେ ।

 

ନିଶାକାଳେ ମୋର କୋଳେ ଶୋଇଥାଉ ଶ୍ରମବଳେ

ସ୍ୱପନରେ ଦେଖି କିସ କିସ

ମା ବୋଲି ଚମକି ପଡ଼ୁ, କଣ୍ଠେ ଦୁଇ ଭୁଜ ଭିଡ଼ୁ

ପୁଣି ଶୋଉ ଘୋଡ଼ି ହୋଇ ବାସ ରେ ଜୀବଧନ ।

ସେ କଥା ସୁମରି ମରିଯିବି

ଉଠ ବୋଲି କାହାକୁ ଡାକିବି ରେ ।

•••

 

ହିମାଳୟ

 

ଶିରେ ତୋର ତୁଷାର-ମୁକୁଟ

 

ଚରଣେ ତୋ ଘନ ବନଚ୍ଛାୟା,

କୋଳ ତୋର ସ୍ୱର୍ଗପଥେ ପୂତ

 

ଅପାଙ୍ଗେ ତୋ ସୁଷମାର ମାୟା ।

ସ୍କନ୍ଧେ ତୋର ଗଙ୍ଗା-ଉପବୀତ,

 

ନିକଷେ କି ଶୁଦ୍ଧ ସ୍ୱର୍ଣ୍ଣରେଖା

ବନରାଜି ତପେ ଆଲୋକିତ

 

ପର୍ଣ୍ଣେ ପର୍ଣ୍ଣେ କବିତାର ଲେଖା ।

ମେଘମାଳା ଗଳେ ବିଲମ୍ବିତ

 

ଦୋଳାୟିତ ପୁଷ୍ପମାଳା ସମ;

ମଣି ସମ ଶୃଙ୍ଗ ସୁଶୋଭିତ

 

ଏ ଜଗତେ କିବା ଅନୁପମ ?

କାଞ୍ଚନର ଦ୍ୟୁତି ଅଙ୍ଗେ ଧରି

 

କାଞ୍ଚନଜଙ୍ଗାଟି ରଙ୍ଗେ ରାଜେ,

ହୀରକର ଛଟା ଅଙ୍ଗେ ଭରି

 

ଗଉରୀଶଙ୍କର ରୂପ ସାଜେ ।

 

 

ମ୍ୟାଗ୍ନୋଲିଆ ମଧୁର ସୌରଭ

 

ମହକାଏ ତୋର ଶ୍ୟାମବନ,

ଚଉଦିଗେ ରୂପର ଗୌରବ

 

ବିକାଶଇ ରୋଡ଼ଡେନଡ୍ରନ ।

ଯେଉଁ ଆଡ଼େ ଦେଖେ ନେତ୍ର ଫେଇ

 

ଗୌରବର ଦେଖେ ସମାରୋହ,

ଏ ଗୌରବେ ମିଳାଇଛୁ ନେଇ

 

ସୌନ୍ଦର୍ଯ୍ୟର ଯାଦୁକରୀ ମୋହ ।

ନଗରାଜ, ଖେଳିଯାଏ ଆଜି

 

କେତେ ଛବି ଛାୟାବାଜି ସମ,

ଅତୀତର ସେ ସୁଷମାରାଜି

 

ସ୍ତବ୍‌ଧ କରେ ମୋର ପ୍ରାଣମନ ।

ଶ୍ମଶାନରେ ବସି ମହେଶ୍ୱର

 

ଆଚରନ୍ତି ମହା ଘୋର ତପ,

ତପଶ୍ଚର୍ଯେ ବିଶ୍ୱ ଥରହର

 

ଦେବତାଏ ଗଣନ୍ତି ଆତଙ୍କ ।

ବ୍ରହ୍ମଚର୍ଯ୍ୟ ପାଳିଣ ଚଉରୀ

 

ଏକନିଷ୍ଠେ କରିଛନ୍ତି ପଣ,

ପତିପଦେ ନେବେ ନିକି ବରି

 

ମହାଦେବ ଭସ୍ମ-ବିଲେପନ ।

ମହାକାଳେ ଫୁଲ-ଶର ମାରି

 

ଜରଜର କରଇ ମଦନ,

କୋପେ ହର ଦେଲେ ତାରେ ଜାଳି

 

ରତିର ବିଳାପେ କମ୍ପେ ବନ

ପୁଣି ଦେଖେଁ ମହାଯୋଗୀ ବସି

 

ଗୌରୀହସ୍ତେ ରଖି ନିଜ କର

ବରିନେଲେ ଶୈଳଜାରେ ହସି

 

ସଖୀ କରି ନିଜ ପରାଣର ।

ସଗରବଂଶରେ ଭଗୀରଥ

 

ଜନମିଲେ ବଡ଼ ଭାଗ୍ୟଫଳେ,

ସନ୍ତୋଷିଲେ ସେ ସୁର-ସରିତ

 

ଘୋର ନିଷ୍ଠା ତପସ୍ୟାର ବଳେ !

ଅମର ଭବନୁ ମନ୍ଦାକିନୀ

 

ଝରିଲେକ ହରଷ ଆଜୁଟେ

ସେ ନିର୍ଝର ସୁଧା-ଧାରା ଜିଣି,

 

ବନ୍ଦେ ତାରେ ଜଳାଞ୍ଜଳି ଗୁଟେ ।

ଭାରତ-ଭୁବନେ ସୁଧା-ଧାରା

 

ସେହିଦିନୁ ଯାଏ ସିନା ଚୁମି,

ଧୋଇ ନିଏ ପାତକର ଭାରା

 

ସୁଶ୍ୟାମଳା କରେ ତୀର-ଭୂମି ।

ବେଦଗାଥା ଗାଇଲେ ଗମ୍ଭୀରେ

 

ତପୋବନେ ବସି ଋଷିଜନ,

ସେହି ଧ୍ୱନି ଛୁଇଁ ତୋ ଶରୀର

 

ପ୍ଳାବିଲା ଏ ଦେଶ ଗିରିବନ ।

ପୁରାଣର ଏ ଗୌରବ ଚିତ୍ର

 

ଚାଲିଯାଏ ଆଜି ଆଖି ଆଗେ,

ପୁରାଣର କାହାଣୀ ପବିତ୍ର

 

ପ୍ରତିଫଳେ ଦିଶଦିଶ ଭାଗେ ।

ଦେଖିଛୁ ଏ ସବୁ ନିଜେ ତୁହି

 

କାଲିକାର କାହାଣୀ ତୋ ଆଗେ,

ନ ପାରଇ କଳି ସବୁ ମୁହିଁ

 

ପ୍ରାଣେ ଖାଲି ବିସ୍ମୟ ମୋ ଜାଗେ ।

ଶୁଣିଛୁ ହିମାଦ୍ରି, ଆଦି-କବି-

 

ବାଲମୀକ ଗାଇଲେ ଯେ ଗୀତ,

ଦେଖିଛୁ ତୁ ରାମାୟଣ ଛବି

 

ମୋହିନିଏ ଯେ ନିଖିଳ ଚିତ୍ତ ।

ମହାଭାରତର ପୁଣ୍ୟ କଥା

 

ଦେଖିଛୁ ତୁ ସେଦିନ ନୟନେ,

ସାଧନାର ସେ ପୁଣ୍ୟ ବାରତା

 

ଶୁଣିଲୁ ତୁ ସମର-ଅଙ୍ଗନେ ।

ଯମୁନା ପୁଲିନେ ପ୍ରେମ-ଗାନ

 

ହେମଗୋରୀ ଗୋପ କିଶୋରୀର,

ଉଠାଇଲା ଶ୍ୟାମ ବଂଶୀତାନ

 

ବହିନେଲା ସେ ବାର୍ତ୍ତା ସମୀର ।

ମହାଯାତ୍ରା ପଥିକ ତୋ ପଥେ

 

ଯୁଧିଷ୍ଠିର ଭାଇ, ପତ୍ନୀ ସହ,

ଲୋକକ୍ଷୟ-ଦୁଃଖ ହୃଦଗତେ

 

ଶାନ୍ତି ଖୋଜି ଖୋଜି ଅହରହ ।

ଯାଜ୍ଞସେନୀ, ଭୀମ ଆଦି ବୀରେ

 

ପଡ଼ିଗଲେ ତୋର ପୁଣ୍ୟ ପୁରେ,

ସତ୍ୟଭାଷୀ ଏକା ଧୀରେ ଧୀରେ

 

ସ୍ୱଶରୀରେ ଗଲେ ସ୍ୱର୍ଗେ ଦୂରେ ।

ଏ ଭୂମିର ହୋଇଲା ପତନ

 

ବୀରଶୂନ୍ୟା ହେଲା ବସୁନ୍ଧରା,

ବୁଡ଼ିଗଲେ ଗୌରବ-ତପନ

 

ହେୟ ହେଲା ଏ ଭାରତ ଧରା ।

ଇତିହାସ ଛବି କେତେ ପୁଣି

 

ଦେଖିଅଛୁ ସିନା ତୁ ଅଚଳ,

ଭାରତ-ବିଭବ ବାର୍ତ୍ତା ଶୁଣି

 

କେହେ ଶତ୍ରୁ ଆସିଲେ ପ୍ରବଳ ।

ଗଢ଼ାହେଲା ଏ ଦେଶରେ କେତେ

 

ଦୁର୍ଗ, ଖାଇ, ସଇନଛାଉଣି,

ପ୍ଳାବିଗଲା ଶୋଣିତର ସ୍ରୋତେ

 

ବେଦପୁତ ଏ ଭାରତ-ଭୂମି ।

ସାମ୍ୟ-ମୈତ୍ରୀ-ଅହିଂସାର ବାଣୀ

 

ଶୁଣାଗଲା ଏହି ଦେଶେ ପୁଣି;

ଧର୍ମତତ୍ତ୍ୱ ଗଲେଟି ବଖାଣି

 

କେତେ ସୁଧୀ କେତେ ଜ୍ଞାନୀ, ଗୁଣୀ ।

ଏ ସରବ ଅଭିଜ୍ଞତା ବହି

 

କି ଗୌରବେ ମଣ୍ଡି ତୋର ତନୁ,

କି ଗୌରବ କାହାଣୀ ତୁ କହି

 

ଜଡ଼ତା ତୁ ହରିନେଉ ମନୁ ।

ତୋ ଅଙ୍କରେ ଯେତେ ନରନାରୀ

 

ପ୍ରଫୁଲ୍ଲ ସେ କି ଆନନ୍ଦଭୋଳେ,

ତୋର ଗୁଣଗାଥା ମନେ ଭାଳି

 

ନିବସନ୍ତି ସୁଖେ ତୋର କୋଳେ ।

ଏ ଗୌରବ ଏ ସୁଷମା ଦେଖି

 

ଜାଗେ ମୋର ପରାଣେ ଯେ ଆଶା,

ସେ କାହାଣୀ ନ ପାରଇ ଲେଖି

 

ଗାଇବାକୁ ପାଏ ନାହିଁ ଭାଷା ।

ଅନୁଭବେ ସେ ଅମିୟ ଖାଲି

 

ମୂକ ସମ ପରାଣେ କେବଳ,

ନଇଁପଡ଼େ ତୋ ମହିମା ଭାଳି

 

ଶିର ମୋର ହେ ହିମ-ଅଚଳ ।

•••

 

କପଟପାଶା

(ତୃତୀୟ ଛାନ୍ଦ)

 

ଶୁଣ ଆହେ ସ୍ୱଜ୍ଞନର ବାରୁଣାବନ୍ତ ନଗର

ହସ୍ତିନାକୁ ଦ୍ୱାଦଶ ଯୋଜନ ଅଟଇ ।

ପବନହୁଁ ଖରତର ଧାଇଁଲା ସେ ଦୁଃଶା ବୀର

ପ୍ରବେଶ ହେଲା ବାରୁଣାବନ୍ତରେ ଯାଇଁ ।

ପାଦ ଘାତେ ମହୀ ଚମକେ,

ଆରେ ଆରେ ପାଣ୍ଡବାରେ ବୋଲିଣ ଡାକେ ।

ଭୟ ପାଇ ନଗ୍ରଲୋକେ ପଳାଇଣ ଗଲେ ଥୋକେ

ସିଂହଦ୍ୱାରେ ଦୁଃଶାସନ ପଶିଲା ଠେଲି ।

ଦ୍ୱାରେ ଦ୍ୱାରିମାନେ ଥିଲେ କୁନ୍ତୀଙ୍କ ଆଗେ କହିଲେ

ଦୁର୍ଯ୍ୟୋଧନ-ଭ୍ରାତ ଦୁଃଶା ଆସୁଛି ପେଲି ।

ଶୁଣି କୌନ୍ତଭୋଜ କୁମାରୀ,

ଯାଇ ସିଂହଦ୍ୱାର ମାଡ଼ି ବସିଲେ ନାରୀ ।

କୁନ୍ତୀ ବୋଇଲେ ରେ ବାବୁ ରହ ରହ କଥା ସବୁ

ପଚାରିବା କିପାଁ ତୁହି ଭିତରେ ପଶୁ ।

ସିଂହର ଭୁବନେ ଆସି ଶୃଗାଳ ପଶଇ ଝାସି

କହ ଏ ଚରିତ ମନୁ ସଂଶୟ ନାଶୁ ।

ଦୁଃଶା କର ଯୋଡ଼ି ଜଣାଏ,

ମନ୍ଦକୃତ୍ୟ କଲେ ମାଗୋ ତୁମ୍ଭର ପୋଏ ।

ଯୁଧିଷ୍ଠି ହସ୍ତିନା ଗଲେ ମାନଗୋବିନ୍ଦର ତୁଲେ

ପଶାଖେଳ ରସେ ମାତି ହୋଇଲେ ଭୋଳ ।

ରାଜ୍ୟ ଦଣ୍ଡ ସିଂହାସନ ନକୁଳ ଭୀମ ଅର୍ଜ୍ଜୁନ

ଦ୍ରୌପଦୀ ସହିତେ ପୀଢ଼ କଲେ ସକଳ ।

ହାରିଲେ ସେ ଧର୍ମଙ୍କ ସୁତ,

ଜିଣିଲେ ମାନଗୋବିନ୍ଦ ଶୁଣ ଗୋ ମାତ ।

ଆଜ୍ଞା ମୋତେ ଛନ୍ତି ଦେଇ ରାଜା ଭାନୁମତୀ ସାଇଁ

ଦ୍ରୌପଦୀର କେଶ ଧରି ଘେନି ମୁଁ ଯିବି ।

ଆଗୋ ମାତ ଛାଡ଼ ଦ୍ୱାର ଯିବଇଁ ଭିତର ପୁର

ଉଛୁର ହୋଇଲେ ପରାଭବ ପାଇବି ।

କୁନ୍ତାଦେବୀ ପୁଚ୍ଛିଲେ ସବୁ,

କେଉଁ ପୀଢ଼େ ଦ୍ରୌପଦୀକି ହାରିଲେ ବାବୁ ।

ଦୁଃଶାସନ ବୋଲେ ମାତଃ ପ୍ରଥମେ ଧର୍ମଙ୍କ ସୁତ

ହାରିଲେ ସପତ ଘର ଧନ ଭଣ୍ଡାର,

ଦ୍ୱିତୀୟରେ ପୀଢ଼ କରି ଦଣ୍ଡ ସିଂହାସନ ହାରି

ତୃତୀୟେ ହାରିଲେ ତୁମ୍ଭ ଭୀମ କୁମର ।

ଚତୁର୍ଥେ ହାରିଲେ ଅର୍ଜ୍ଜୁନ,

ପଞ୍ଚମେ ହାରିଲେ ମାଗୋ ମାଦ୍ରୀନନ୍ଦନ ।

ଷଷ୍ଠବେଳେ ପୀଢ଼ କରି ହାରିଲେ ଦ୍ରୌପଦୀ ନାରୀ

ସପ୍ତବେଳେ ହାରି ଅଙ୍ଗ ହେଲେ ମଉନ ।

କୁନ୍ତୀ ବୋଇଲେ ଦ୍ରୌପଦୀ ପ୍ରଥମ ବିବାହୀ ସତୀ

ପ୍ରଥମ ପୀଢ଼େ ହାରିଲେ ନିଅନ୍ତ ପୁଣ ।

ଭାଇ ଭାଇ କରିଛ ଗୋଳ,

ଏ ଛାର କଥାକୁ ଦୁଃଶା କରୁ କଟାଳ ।

ସୋଦରେ ସୋଦରେ ପୁଣି ହେଉଛନ୍ତି ହଣାହଣି

କହ ଦ୍ରୌପଦୀ କି ଦୋଷ କରିଛି ତହିଁ ।

ଶୁଣିକରି ଦୁଃଶାସନ ବୁଲାଇ ବେନି ନୟନ

ଆଡ଼ ହୁଅ ବୋଲି କୁନ୍ତୀଦେବୀଙ୍କି କହି ।

ଠେଲି କରେ ଦେଲା ପକାଇ,

କବାଟ କଣରେ ଦେବୀ ପଡ଼ିଲେ ଯାଇଁ ।

କୁନ୍ତୀ ଡାକ ଦେଲେ ହରି ଆହେ ଶଙ୍ଖଚକ୍ରଧାରୀ

ଦ୍ୱାରକା ଛାଡ଼ି କି ନିଜ ଧାମକୁ ଗଲ,

କେତେ କେତେ ସଙ୍କଟରୁ ରଖିଛ ମୋହ ପୁତ୍ରଙ୍କୁ

ଏବେ ଯୁଧିଷ୍ଠିରଠାରେ ଦୟା ଛାଡ଼ିଲ ।

ପଞ୍ଚପୁତ୍ର ମଲେ କି ମୋର,

ଥିଲେ କିପାଁ ଦୁଃଶାସନ ପଶନ୍ତା ଘର ।

କୁନ୍ତୀ ଉଚ୍ଚେ କଲେ ହୁରି ଦ୍ରୁପଦ-ରାଜକୁମାରୀ

ସୁଭଦ୍ରାଙ୍କୁ ଘେନି ଯାଇଁ ଭିତରେ ପଶ,

ବଳାତ୍କାରେ ଦୁଃଶାସନ ପଶିଲା ଆମ୍ଭ ଭବନ

ଗୁପତଭାବରେ ରହି ହୁଅ ଅଦୃଶ୍ୟ ।

ତାହା ଶୁଣି ସୁଭଦ୍ରା ଦେଈ,

ଚନ୍ଦ୍ରଶାଳା ପୁରେ ବେଗେ ଲୁଚିଲେ ଯାଇଁ ।

ଦ୍ରୌପଦୀ ଯେ ଭୟ ପାଇ ଆକୁଳେ ଅଙ୍ଗ ଥରଇ

ତର ତର ହୋଇ ଉଠି ଗଲେ ପଳାଇ ।

କେଶ ପାଶ କଟିବାସ ଫିଟି ବହେ ଖରଶ୍ୱାସ

ରୋଷେଇଶାଳ ମଧ୍ୟରେ ଲୁଚିଲେ ଯାଇଁ ।

ବ୍ୟାଧ ଭୟେ ଯେହ୍ନେ ମୃଗୁଣୀ,

ଚଞ୍ଚଳନୟନ ମୁଖୁଁ ନ ସ୍ଫୁରେ ବାଣୀ ।

ପୁରେ ପୁରେ ଦୁଃଶାସନ ଖୋଜଇ ସର୍ବ ଭୁବନ

ନେତ୍ରପୁର ବାସପୁର ଡାଳିମ୍ବପୁର

ଝୀନପୁର ରତ୍ନପୁର କଉସ୍ତୁଭମଣିପୁର

ଇନ୍ଦ୍ରଅବକାଶପୁର ଖୋଜଇ ବୀର

ଯୁଧିଷ୍ଠିର ଶୁଅନ୍ତି ଯେ ପୁରେ,

ଇନ୍ଦ୍ରପୁର ସମ ନୋହେ ତାକୁ ଲକ୍ଷ୍ୟରେ ।

ଚାରି କ୍ରୋଶ ଦୀର୍ଘ ପ୍ରତି ଅଟଇ ସେ ପୁର-ସ୍ଥିତି

ହୀରା ନୀଳା ଖଞ୍ଜା ଅଛି ଅଷ୍ଟ ରତନ ।

କ୍ଷୁଦ୍ର ମୋତି କେରା କେରା ଲମ୍ବିଛି ମୁକୁତାଝରା

ପ୍ରବାଳର ସ୍ତମ୍ଭ ହୋଇଅଛି ଶୋଭନ ।

ଦିବ୍ୟ ପାଟବସ୍ତ୍ର ଚାନ୍ଦୁଆ,

ମର୍କତ ଚାମରମାନ ଲମ୍ବିଛି ନୂଆ ।

ସେ ପୁରରେ ଦୁଃଶାସନ ନ ପାଇ ଦ୍ରୌପଦୀ ଚିହ୍ନ

ବିସ୍ମୟ ହୋଇ ବହନ ଲେଉଟି ଆସେ ।

ଖୋଜି ନ ପାଇଣ ଭେଟ ରୋଷାଇଶାଳ ନିକଟ

ଆଣ୍ଠୁ ଭରା ଦେଇ ଚାହେଁ ଚାରି ପାରୁଶେ ।

ପୂର୍ବଦିଗେ ଉଦେ କି ଭାନୁ,

ସେହିମତି ଦିଶୁଅଛି ଦ୍ରୌପଦୀ-ତନୁ ।

ଦେଖିଣ ଦୁଃଶା ଚକିତ ବୋଲଇ କି ଦିନନାଥ

ଆକାଶକୁ ଛାଡ଼ି ଆସି ଏଥି ରହିଲା

କି ଅବା ରାହୁର ଭୟେ ଶଶଧର ଏଥି ରହେ

କେବଣ ଚରିତ ମୋତେ ଜଣା ନ ଗଲା ।

ପୁଣି ଗଲା ପାହଣ୍ଡେ ଚାଲି,

ନିକଟେ ଜାଣିଲା ବୀର ଦ୍ରୌପଦୀ ବୋଲି ।

ଶୁଣ ହେ ସୁଜନ ଜନ ମୁଁ ଛାର ପାମର ହୀନ

କହିବାକୁ ଯୋଗ୍ୟ ନିକି ମହାଭାରତ ।

ଅର୍ଥକୁ ଅର୍ଥ ମିଶାଇ ପଦକୁ ପଦ ପକାଇ

ଛନ୍ଦ ପ୍ରତିବନ୍ଧରେ ମୁଁ କଲଇଁ ଗୀତ ।

ସାଧୁଜନ ନ ଘେନ ଦୋଷ,

କହେ ହୀନ ଭୀମା କୃଷ୍ଣ-ଚରଣେ ଆଶ ।

•••

 

ବିରହିଣୀ

ପ୍ରତ୍ୟୁଷରୁ ଉଠି

 

ପୂଜା ହୋମ ସାରି

ମୃତପତିଲାଭେ

 

କରିଛି ଗୁହାରି ।

କାହିଁ ଛନ୍ତି ସ୍ୱାମୀ

 

ଅନ୍ଧ ପ୍ରେତଲୋକେ,

ମାଗିଛି ପ୍ରଭୁଙ୍କୁ

 

ଆଣନ୍ତୁ ଆଲୋକେ ।

ଦେବ ଦେବ ! ପୁଣି

 

ମାଗୁଅଛି ବର,

ଦେଖାଅ ସ୍ୱାମିଙ୍କୁ,

 

ଦେଖାଅ ସତ୍ୱର ।

ଉଦ୍ଦାମ ପ୍ରେମରେ

 

ମଧୁର ଚଞ୍ଚଳ,

ଉତ୍ସାହ-ବିଶ୍ୱାସେ

 

ଏ ବାଣୀ ସରଳ

ଭାଷି ଧୀରେ ବାଳା

 

ଯୋଡ଼ି ବେନି ପାଣି,

ଊର୍ଦ୍ଧ୍ୱମୁଖେ ଚାହେଁ

 

ନୀରବ ଚାହାଣୀ ।

ସମୁଜ୍ଜ୍ୱଳ ବାଳା

 

ବଦନ ତରୁଣ,

ମେଘ ମଧ୍ୟୁଁ କିବା

 

ଝଲସେ ଅରୁଣ ?

ବିସ୍ଫାରିତ ନେତ୍ର,

 

ନିଶ୍ୱାସ ପ୍ରଖର,

ସେ କୋମଳ ହୃଦ

 

କମ୍ପେ ଥର ଥର ।

ଶାନ୍ତ ସ୍ମିତମୁଖେ

 

ରହିଅଛି ଚାହିଁ,

ପୂରାଇବେ ବାଞ୍ଛା

 

ପ୍ରଭୁ ଭାବଗ୍ରାହୀ ।

କାହାକୁ ଦେଖିଣ

 

ମନେ ଲାଗେ ଭୟ ?

କ୍ଷଣକେ ଆନନ୍ଦ,

 

କ୍ଷଣକେ ବିସ୍ମୟ ।

ଚାହିଁଛି କାହାକୁ

 

ବାଳା ଏକଧ୍ୟାନେ ?

ଚାହିଁଛି କାହାକୁ

 

ନିସ୍ପନ୍ଦ ନୟନେ ?

ଦେଖିଲା କି ବାଳା

 

ପତିଙ୍କ ବଦନ,

ରଣାଙ୍ଗନେ ଯେହୁ

 

ଝାସିଲେ ଜୀବନ ?

ସଶରୀରେ ସ୍ୱାମୀ

 

ଆସନ୍ତି ନିଶ୍ଚୟ ।

ନିଜ ଚକ୍ଷୁ କିମ୍ପା

 

ନ ହେବ ପ୍ରତ୍ୟୟ ?

ସ୍ୱର୍ଗ ଦେବଦୂତ

 

ଧରିଛନ୍ତି ହସ୍ତ,

ଆସୁଛନ୍ତି ସ୍ୱାମୀ–

 

ଅବଳା ଉଷତ ।

ବରାଭୟ ଦଣ୍ଡ

 

ବାଳା ଚାରିପାଶେ

ବୁଲାଇଣ ଧୀରେ

 

ବୀଣାଜିଣା ଭାଷେ

ସ୍ୱର୍ଗ ଦେବଦୂତ

 

କହନ୍ତି ଏସନ,-

‘‘ତୋ ମିନତି ପ୍ରଭୁ

 

କରିଲେ ପୂରଣ ।

ବ୍ୟୋମପଥେ ସ୍ୱାମୀ

 

ଆସୁଛନ୍ତି ତୋର,

ମର୍ତ୍ତ୍ୟେ ଅବସ୍ଥାନ

 

ପ୍ରହର ମାତର ।

ସଶରୀରେ ସ୍ୱାମୀ

 

ଭେଟ ଗୋ ତ୍ୱରିତ ।’’

ଏହା କହି ଦୂତ

 

ହେଲେ ଅନ୍ତର୍ହିତ ।

ଆବେଗେ ଉଠିଲେ

 

ଅସମ୍ଭାଳେ ରାଣୀ,

ସ୍ୱାମୀଙ୍କୁ ଧରିବେ

 

ବଢ଼ାଇଲେ ପାଣି ।

ପୂର୍ବ ପ୍ରଣୟର

 

ପ୍ରେମାନନ୍ଦ ସୁଧା

ପିଇଣ ମେଣ୍ଟିବେ

 

ବିରହର କ୍ଷୁଧା ।

ବିଫଳ ସେ ଚେଷ୍ଟା

 

ସକଳ ଚାତୁରୀ,

କ୍ରମେ ଛାୟା ଦୂରେ

 

ଯାଏ ଅପସରି ।

ପୁଣି ଫେରେ ଛାୟା

 

ଧରେ ନିଜ ରୂପ–

ବାଳା ଆଗେ ଉଭା

 

ମୂର୍ତ୍ତୀ ଅପରୂପ

‘‘ଦେବ ! ନାହାନ୍ତି ତ

 

ସରଗ ପ୍ରହରୀ,

ମୋ ସଙ୍ଗେ କିପାଇଁ

 

ଖେଳ ହେ ଚାତୁରୀ ?

କଥାପଦେ କହି

 

ନାଶ ମୋର ଭୟ,

ପ୍ରେତ ବୋଲି ଆଉ

 

ନ ହେଉ ସଂଶୟ ।

ତୁମ୍ଭର ଏ ସୌଧ,

 

ଏହି ସିଂହାସନ,

ଦୟା ବହି ଭାଷ

 

ମଧୁର ବଚନ ।

ଏଥିପାଇଁ ବର

 

ଦେଇଥିଲେ ଦେବେ ?

ଛାୟାମୂର୍ତ୍ତି ପେଷି

 

ମୋତେ ଡରାଇବେ ?

ଛାୟାରୂପ ଦେଖି

 

ମାଡ଼େ ମୋତେ ଡର,

ନ ଶୁଣିବି ପଦେ

 

ବଚନ ତୁମ୍ଭର ?

ଯାଇ ସବୁ ଭୟ,

 

କହ କଥା ପଦେ,

ନାଚୁ ଏ ଭବନ

 

ହର୍ଷ ଗଦଗଦେ ।

ତୁମ୍ଭର ବିରହେ

 

ଥିଲା ଏ ଶ୍ମଶାନ,

ତୁମ୍ଭ ଆଗମନେ

 

ହେଉ ପୁଣ୍ୟଧାମ ।’’

‘‘ରାଣୀ ! ତୁମ୍ଭେ ଏଡ଼େ

 

ନ ହୁଅ କାତର,

ଭାବଗ୍ରାହୀ ପ୍ରଭୁ

 

ନୁହନ୍ତି ନିଷ୍ଠୁର ।

ଛାୟାରୂପେ ମୁହିଁ

 

ଆସିଅଛି ସତ,

ଡରାଇବା ମୋର

 

ନୁହେ ଅଭିପ୍ରେତ ।

ତୋହର କରୁଣ

 

ପ୍ରାର୍ଥନା ସରଳ;

ବୀରରୂପେ ମୋର

 

ଯେତେ ପୁଣ୍ୟଫଳ,

ସବୁ ଆଜି ଦେବି !

 

ହେଲା ପୁରସ୍କୃତ,

ସେଥିପାଇଁ ମୁହିଁ

 

ମର୍ତ୍ତ୍ୟକୁ ଆଗତ ।

ଅଛିଟିକି ମନେ

 

ସେ ଦିନର କଥା

‘ଦାସୀ’ ମୁଖେ ଚଣ୍ଡୀ

 

ପେଷିଲେ ବାରତା–

‘ଶତ୍ରୁ ରାଜ୍ୟେ ଯେଉଁ

 

ବୀରଙ୍କ ଚରଣ

ପଡ଼ିବ ପ୍ରଥମେ,

 

ଲଭିବେ ମରଣ ।’

ଏ ବାଣୀରେ ମୁହିଁ

 

ନ ହେଲି କାତର,

ସାଧୁ ବ୍ରତ ଲୋଡ଼େ

 

ପ୍ରାଣ ମହତ୍ତର ।

ଛୁଇଁଲି ପ୍ରଥମେ

 

ଶତ୍ରୁ ଭୂମିଖଣ୍ଡ,

ଶତ୍ରୁ ହାତେ ଆପେ

 

ହରାଇଲି ମୁଣ୍ଡ ।’’

‘‘ବୀରମଣି ! ତବ

 

ଅତୁଳ ସାହସ,

ଧନ୍ୟ ସେ ମହତ୍ତ୍ୱ

 

ବୀର୍ଯ୍ୟ ପଉରୁଷ !

ଶତ ହୃଦ ଯେବେ

 

ଭୟରେ ଅସ୍ଥିର,

ବୀରମୂର୍ତ୍ତି ତବ

 

ପ୍ରଶାନ୍ତ ଗମ୍ଭୀର ।

ଶତ୍ରୁ ରାଜ୍ୟେ ଆଗେ

 

ନିହିଲି ଚରଣ,

ହେଲା ଯାହା ଥିଲା

 

କପାଳ ଲିଖନ ।

ନ ଘେନିଲେ ମୋର

 

ଶତ-ଅଶ୍ରୁ ମନା,

ସେଥିପାଇଁ ତିଳେ

 

ନାହିଁ ମୋ ଶୋଚନା ।

ବିବେକ ବିଚାରି

 

କଲ ନିଜ କର୍ମ,

ଅରଜିଲ ପୁଣ୍ୟ

 

ବୀର ଯଶୋଧର୍ମ ।

କଠିନ ହେଲେହେଁ

 

ବୀରର ଅନ୍ତର,

ତୁମ୍ଭେ କିନ୍ତୁ ସାଧୁ–

 

ଉଦାର ସୁନ୍ଦର ।

(ତବ) ଅଟଳ ବୀରତ୍ୱ

 

ଦୟାରେ ସରସ,

କଲ୍ୟାଣସାଧନ

 

ସଙ୍ଗେ ପଉରୁଷ ।

ଦୟା ବହି ଯେବେ

 

ପ୍ରଭୁ ଭାବଗ୍ରାହୀ

ତୁମ୍ଭଙ୍କୁ ଆଜି ସେ

 

ପେଷିଛନ୍ତି ମହୀ,

ଚିରକାଳ ପାଇଁ

 

ରହିବ ମୋ କତି,

ଶୁଣିଛନ୍ତି ପ୍ରଭୁ

 

ମୋହର ମିନତି ।

ତବ କେଶଦାମ,

 

ସେ ଚାରୁ ଅଧର

ସୌରଭ ଆବାସ

 

ମଧୁ-ସୁଧାଝର ।

ଜାଣେ ଭଲେ ନାଥ !

 

ନୁହ ତୁମ୍ଭେ ଛାୟା,

ତେଜ ଦେବ । ଆଜ

 

ପ୍ରେତ-ଲୋକ ମାୟା ।

ହସି ଆସ ପାଶେ

 

ମୋର ହୃଦଧନ !

ଦିଅ ସ୍ନେହେ ଥରେ

 

ପ୍ରଣୟ-ଚୁମ୍ବନ,

ବିବାହ ବାସରେ

 

ବଧୂ ରୂପେ ପୁଣି

ଯାଚେ ପ୍ରେମଭିକ୍ଷା

 

ବିଧୁରା ତରୁଣୀ ।’’

ରୁଷିଲେ ବୈକୁଣ୍ଠେ

 

ଦେବ ଜନାର୍ଦ୍ଦନ,

ଯୁବା ପୁଷ୍ପାଧର

 

ହୋଇଲା ମଳିନ ।

ମାୟାଦେବୀ ଆହା

 

କଲେ କିବା ମାୟା,

ନାଚିଲା ଅଧରେ

 

ନରକର ଛାୟା !

‘‘ଦେଖ ମୁଖୁଁ ମୋର

 

ଉଭେଇଲା ଜ୍ୟୋତି,

କି ଶିକ୍ଷା ଏଥିରୁ

 

ଲଭୁଅଛ ସତି !

ଇନ୍ଦ୍ରିୟର ସୁଖ

 

ମୋ ପକ୍ଷେ ସ୍ୱପନ,

ସେ ଅଳୀକ ସୁଖେ

 

କିମ୍ପା ବଳେ ମନ ?

ପଦ୍ମପତ୍ର ଜଳ

 

ପରି ସେ ଚଞ୍ଚଳ,

ସୁଖଶାନ୍ତିହୀନ

 

କୂଟ ହଳାହଳ ।

ତୁଟିଲେ ଯୌବନ

 

ଲଭଇ ନିର୍ବାଣ,

ସରଗରେ ତାର

 

ନାହିଁ ତିଳେ ସ୍ଥାନ !

ସେଥି ରାଜେ ସଖି !

 

ଶାନ୍ତ ପ୍ରେମଚିତ୍ର,

ଦୁଃଖରାଶି ତଥା

 

ମହାନ ପବିତ୍ର ।

ହୃଦେ ତବ ରାଣି !

 

ଜଳେ କାମାନଳ,

ପ୍ରେମ ନୁହଇ ସେ,

 

ଭୀମ ହଳାହଳ ।

ଶୁଦ୍ଧ ପ୍ରେମ ଅଟେ

 

ପ୍ରଶାନ୍ତ ଗମ୍ଭୀର,

କାମନା-ତାଡ଼ନେ

 

ନୁହେ ତ ଅସ୍ଥିର ।

ବହୁ ପଛେ ହୃଦେ

 

ଉଷ୍ଣ ପ୍ରେମ-ସ୍ରୋତ,

କାମନା-ଚାଞ୍ଚଲ୍ୟେ

 

ନୋହୁ ବିକ୍ଷୋଭିତ ।

ଶୁଦ୍ଧ ଶାନ୍ତ ପ୍ରେମେ

 

ଦେବତାଏ ତୋଷ,

କାମ-କୋଳାହଳେ

 

ବହନ୍ତି ଯେ ରୋଷ ।

କ୍ଷଣ କାଳ ଅଛି

 

ଯିବାକୁ ମୋହର,

ତୁଚ୍ଛ କାମାନଳେ

 

ନୁହ ଗୋ କାତର !

ଚାଲିଗଲେ ମୁହିଁ

 

ଶାନ୍ତ ସ୍ଥିର ପ୍ରାଣେ

କର ଗୋ ପ୍ରାର୍ଥନା

 

ଆତ୍ମାର କଲ୍ୟାଣେ ।’’

‘‘ନରନାଥ ! ମୁଖେ

 

ଅଛି ଏ କି ବାଣୀ ?

ଶୁଣି ନାହିଁ କିହେ

 

ପୁରାଣ କାହାଣୀ ?

ପତିବ୍ରତା ସତୀ

 

ସାବିତ୍ରୀ ସୁନ୍ଦରୀ

ଯମ ହସ୍ତୁ ସ୍ୱାମୀ

 

ପାଇଲେ ତ ଫେରି ।

ଶାସ୍ତ୍ରେ ଅଛି ବୃଦ୍ଧ

 

ଯଯାତି ନୃମଣି

ପୁଷ୍ପିତ ଯୌବନ

 

ଲଭିଲେ ତ ପୁଣି ।

ପ୍ରେମାନନ୍ଦେ ପତ୍ନୀ

 

ସହ କଲେ ବାସ,

ଦେବଗଣ କିମ୍ପା

 

ମୋ ପ୍ରତି ଉଦାସ ?’’

‘‘ନ ବୁଝିଲ ରାଣି !

 

ମୋହର ବଚନ,

ପ୍ରଭୁ ତ ଆମ୍ଭଙ୍କୁ

 

ସଦା ସୁପ୍ରସନ୍ନ ।

ନର ଦେହେ ବନ୍ଧା

 

ନୁହେ ପ୍ରେମରାଜ୍ୟ,

ଶୁଦ୍ଧ ମନେ ରାଜେ

 

ପ୍ରେମର ସାମ୍ରାଜ୍ୟ ।

କ୍ଷଣେ ଭୋଗେ ପ୍ରେମ

 

ଯାତନା ଦୁଃସହ,

କ୍ଷଣେ ଭୋଗେ ସିନା

 

ବିକଳ ବିରହ ।

ନାରୀହୃଦେ ପ୍ରେମ

 

କଳେହେଁ ବସତି,

ଅନନ୍ତ ତା’ ବଳ

 

ଅତ୍ୟନ୍ତ ଶକତି ।

ଅସୀମ ହେଲେହେଁ

 

ତପସ୍ୟାର ଫଳ,

ପ୍ରେମର ଶକତି

 

ଅସୀମ ଅତୁଳ ।’’

‘‘ଗଲେ ତୁମ୍ଭେ ନାଥ !

 

ଯିବ ତବ ସଙ୍ଗେ ।’’

‘‘ବୃଥା ଚେଷ୍ଟା !’’

 

ଛାୟା ହସି କହେ ରଙ୍ଗେ ।

ଦେଖିଲା ସ୍ୱାମୀଙ୍କ

 

ପ୍ରଶାନ୍ତ ବଦନ,

ତୁଟିଲା ଉଦ୍‌ବେଗ,

 

ତାଳା ହର୍ଷମନ ।

କୃଷ୍ଣ ଛାୟା ମୁଖୁଁ

 

ଗଲା ଅପସରି,

ସରଗର ଆଭା,

 

ସରଗର ଶିରୀ

ଖେଳି ବୁଲେ ସ୍ୱାମି-

 

ମୁଖ ଚଉପାଶେ,

ମୁଗ୍‌ଧ ନେତ୍ରେ ରାଣୀ

 

ଚାହିଁଲେ ଉଲ୍ଲାସେ ।

ଶୁଣିଲେ ସ୍ୱାମୀଙ୍କ

 

ଗମ୍ଭୀର ବଚନ,-

‘‘କି ସୁନ୍ଦର ପୁଣ୍ୟ

 

ସରଗଭୁବନ !

ନାହିଁ ସେଥି ଭୟ,

 

ନାହିଁ ଗୋ ଆଶଙ୍କା,

ନାହିଁ ଦୁଃଖ-ଶୋକ,

 

ନାହିଁ କିଛି ଦକା ।

ଗତ ଦୁଃଖ ଲାଗି

 

ନାହିଁ ଦୀର୍ଘଶ୍ୱାସ,

ଭବିଷ୍ୟ କଲ୍ୟାଣେ

 

ସୁଦୃଢ଼ ବିଶ୍ୱାସ ।

ପ୍ରଶାନ୍ତ ଗମ୍ଭୀର

 

ସେଥି ବୀରମୂର୍ତ୍ତି,

ପବିତ୍ର ସେ ରାଜ୍ୟ,

 

ଚିର ପ୍ରେମ-ସ୍ଫୂର୍ତ୍ତ ।

ଯା’ କିଛି ସୁନ୍ଦର;

 

ଯା’ କିଛି ପବିତ୍ର,

ଶୋଭେ ସେଥି ଧରି

 

ବିମୋହନ ଚିତ୍ର ।

ସେଥି ଝରେ ଧୀରେ

 

କଳମନ୍ଦାକିନୀ,

ଖେଳେ ସେଥି ଜ୍ୟୋତ୍ସ୍ନା ।

 

ମଧୁରହାସିନୀ ।

ମଳୟ ପବନ

 

ଧୀରେ ଯାଏ ବହି,

ନାଚେ ସ୍ୱର୍ଣ୍ଣଶସ୍ୟ

 

ତାତେ ରହି ରହି ।

ହସନ୍ତି ମଧୁରେ

 

ସେଥି ଦିନମଣି,

କି ଉଜ୍ୱଳ ପୁଣ୍ୟ

 

ଆଲୋକର ଖଣି !

ହେଲେହେଁ ସୁନ୍ଦର

 

ସେ ରାଜ୍ୟ ମୋହନ,

ପୁଣ୍ୟଆତ୍ମା ଏକା

 

ଯିବାକୁ ଭାଜନ ।

ମର୍ତ୍ତ୍ୟବାସେ ନର

 

ଭୁଲଇ ସକଳ,

ନ ଭୁଞ୍ଜଇ କେବେ

 

ଆନନ୍ଦ ବିମଳ ।

ତୋଠାରୁ ବିଦାୟ

 

ଯେବେ ନେଲି ସତ,

କାନ୍ଦିଲୁ ବିକଳେ

 

କେତେ ଦିନରାତି ।

ବିରହ-ଯାତନା

 

ମେଣ୍ଟିବାର ଲାଗି,

ଅଳୀକ ଆମୋଦେ

 

ହେଲି ଅନୁରାଗୀ ।

ଜୀବନର ଲକ୍ଷ

 

ନ ଥିଲା ତ ଜଣା,

ଆଶ୍ରିଲି ବ୍ୟସନ

 

ହୋଇ ବାଟ ବଣା ।

ଶୁଣିବୁ କି ଗତ

 

ଜୀବନ କାହାଣୀ ?

ଶତ୍ରୁ ରାଜ୍ୟ ଜୟେ

 

ଚାଲିଲା ତରଣୀ ।

କରନ୍ତି ପ୍ରତିଜ୍ଞା

 

ଯୁବା ବୀରଗଣ

ଦେଖାଇବେ ଯୁଦ୍ଧ–

 

କ୍ଷେତ୍ରେ ବୀରପଣ ।

ବୀରକ୍ରୀଡ଼ାମୋଦେ

 

ଗଲେ ଥୋକେ ମାତି,

ବାହୁସ୍ଫୋଟ ମାରି,

 

ଫୁଲାଇଣ ଛାତି ।

ରାଜା ମନ୍ତ୍ରୀବୃନ୍ଦ

 

କରିଲେ ମନ୍ତ୍ରଣା–

‘ଶତ୍ରୁ ରାଜ୍ୟ ଜୟ

 

ଅଟଳ ସାଧନା ।

ଅନୁକୂଳ ବାତ

 

ଲଭି ପୋତପାଳ

ଚାଲିଲା ମନ୍ଥିଣ

 

ତରଙ୍ଗ ଉତ୍ତାଳ ।

ବୀରରକ୍ତ ମୋର

 

ଖେଳିଲା ପରାଣେ,

ଦେବୀଙ୍କ ଭାରତୀ

 

ପଡ଼ିଗଲା ମନେ ।

ଭାବିଲି ଆମ୍ଭର

 

ସହସ୍ର ତରଣୀ

ଭୟେ ନ ଛୁଇଁଲେ

 

ଶତ୍ରୁର ଧରଣୀ;

ମୋହର ତରଣୀ

 

ଆଗ ଯିବ ବହି,

ମୋ ରକ୍ତେ ରଞ୍ଜିବି

 

ଆଗେ ଶତ୍ରୁ ମହୀ ।

କିନ୍ତୁ ସଖି ! ହୃଦ

 

ହୋଇଲା ଉଚ୍ଛନ୍ନ,

ଭାଳିଲି ଯେବେ ମୁଁ

 

ତୋ ବିଧୁବଦନ ।

ତୋ ଚିର ବିଚ୍ଛେଦ–

 

ଶଙ୍କା ଏକମୁନା

କ୍ଷଣେ କ୍ଷଣେ ହୃଦ

 

କଲା ଧୁଣା ଧୁଣା ।

ଚାରୁ ପୁଷ୍ପକୁଞ୍ଜେ

 

ତୋ ସଙ୍ଗେ ବିହାର,

ଏ ଚାରୁ ଉଦ୍ୟାନ,

 

ସ୍ଫଟିକ ନିର୍ଝର;

ମୋ ରମ୍ୟ ନଗର

 

ପ୍ରିୟ ସୌଧ ସ୍କୃତି

କଲା କ୍ଷଣେ କ୍ଷଣେ

 

ମୋର ଧୈର୍ଯ୍ୟଚ୍ୟୁତି ।

କିନ୍ତୁ ଆମ୍ଭ ବୀରେ

 

ଏଡ଼େ କାପୁରୁଷ,

ନାହିଁ ବୀରଦମ୍ଭ

 

ଶକ୍ତି ପଉରୁଷ

ଶତ ଶତ ଆମ୍ଭ

 

ଯୁବା ବୀର ଗଣ

ପଛଘୁଞ୍ଚା ଦେବେ

 

ଦେବାକୁ ଜୀବନ !

ଏ ହୀନ ଭୀରୁତ୍ୱ

 

ନ ପାରିଲି ସହି,

ପୁଣି ସ୍ମୃତି ତୋର

 

ହୃଦ ଦେଲା ଦହି ।

ବାନ୍ଧିଲି ସାହସ

 

ପୁଣି ବୀରଗର୍ବେ;

ଝାସିଲି ପରାଣ;

 

ମୁଗ୍‌ଧ ବୀର ସର୍ବେ ।

ହେଲେହେଁ ଗଭୀର

 

ରାଣି ! ତବ ପ୍ରେମ,

ତୁଚ୍ଛ ଯେଣୁ ନାହିଁ

 

ଇନ୍ଦ୍ରିୟ ସଂଯମ ।

ସେଥିଯୋଗୁଁ ରାଣି !

 

ମୋର ଉପଦେଶ,

ରହ ଧରି ଧୈର୍ଯ୍ୟ,

 

ଭୁଲ ଶୋକ କ୍ଳେଶ ।

କାମମିଶ୍ର ପ୍ରେମ

 

ଅନନ୍ତ ଯାତନା,

ଶୁଦ୍ଧ ପ୍ରେମ ତେଣୁ

 

କର ଗୋ ସାଧନା ।

ସ୍ୱର୍ଗଧାମେ ପୁଣି

 

ହୋଇବ ମିଳନ,

ଦେବଦେବ ନିଶ୍ଚେଁ

 

ତୋତେ ସୁପ୍ରସନ୍ନ ।

ଭୁଲ ନୀଚ ଘୃଣ୍ୟ

 

ଇନ୍ଦ୍ରିୟ ଆସକ୍ତି,

ପ୍ରେମ ତୋର ହେଉ

 

ପୁଣ୍ୟେ ପରିଣତି ।

କର ତୁ ପ୍ରାର୍ଥନା

 

ସ୍ୱର୍ଗସୁଖ ଆଶେ,

ସେ ସୁଖ ସ୍ୱପନ

 

ଏହି ମର୍ତ୍ତ୍ୟବାସେ ।

ସ୍ୱାର୍ଥ-ପ୍ରେମ କରେ

 

ହୃଦୟେ ବସତି,

ଦିନୁଁ ଦିନୁଁ ତାର

 

ଗାଢ଼ ପରିଣତି,

ବାସନା-ଅନଳେ

 

ଜାଳି ଦିଏ ପ୍ରାଣ,

ଉଦ୍ଦେଶ୍ୟ ଏକ ତା’

 

ସ୍ୱାର୍ଥ ବଳିଦାନ ।

ତୁଚ୍ଛ ସ୍ୱାର୍ଥ-ପ୍ରେମ

 

ପଦେ ଦିଅ ଦଳି,

ସ୍ୱାର୍ଥ ପ୍ରେମ ଲାଗି

 

ନ କର ତୁ ଅଳି ।

କାମଜ ପ୍ରେମ ତ

 

କୁହୁକ ବନ୍ଧନ,

ବାଞ୍ଛ ନିତ୍ୟ ସତ୍ୟ

 

ପ୍ରେମ ସନାତନ ।’’

ଚମକିଲେ ରାଣୀ,

 

ଉଭା ଦେବଦୂତ !

ସ୍ୱାମିଙ୍କୁ ସତ୍ୱର

 

ନେବାକୁ ପ୍ରସ୍ତୁତ ।

ବ୍ୟସ୍ତେ କଲେ ରାଣୀ

 

କର ପ୍ରସାରଣ,

ସ୍ୱାମୀଙ୍କୁ ଧରିବେ–

 

ବିଫଳ ଉଦ୍ୟମ ।

ପ୍ରହରକ କାଳ

 

ହୋଇଛି ଅତୀତ,

କ୍ଷଣେ ରଖିବା ତ

 

ନର ସାଧ୍ୟାତୀତ ।

ପ୍ରହରକ ଯଦି

 

ହୁଅନ୍ତା ବରଷ,

ନ ପୁରନ୍ତା କେବେ

 

ରାଣୀ ଅଭିଳାଷ ।

ଚଳିଗଲେ ସ୍ୱାମୀ

 

ବିମାନ ତୋରଣେ

ପ୍ରେମମୟ ରାଜ୍ୟେ

 

ସରଗ ଭୁବନେ !

କିନ୍ତୁ ଏ କି ଦୃଶ୍ୟ !

 

ଏ କି ଅଦଭୂତ !

ରାଣୀ ମୃତଦେହ

 

ଭୂତଳେ ପତିତ !

ସହି ନ ପାରିଲେ

 

ବିରହର ଖେଦ

ନ ପାରିଲେ ସହି

 

ସ୍ୱାମୀଙ୍କ ବିଚ୍ଛେଦ;

ପ୍ରେମ-ମୂର୍ଚ୍ଛାବଶେ

 

ତେଜିଲେ ଜୀବନ,

ଇଚ୍ଛା ସ୍ୱର୍ଗଭୂମି

 

କରିବେ ଦର୍ଶନ ।

ଫୁଟେ ଯହିଁ ଚିର–

 

ମଧୁ ଫୁଲକଳି,

ତୋଳିବେ ନିକୁଞ୍ଜେ

 

କୁସୁମ-ଅଞ୍ଜଳି ।

ନରଦୁଃଖେ ନର

 

ତେଜେ ଅଶ୍ରୁଜଳ,

ନରଦୁଃଖେ ମଧ୍ୟ

 

ପ୍ରକୃତି ବିକଳ

ବିଂଶ ଦେବଦାରୁ

 

ମହା ତରୁବର

ମଣ୍ଡିଲେ ସ୍ୱାମିଙ୍କ

 

ସମାଧିଚତ୍ୱର ।

କ୍ରମେ ବୃକ୍ଷଚୂଡ଼ା

 

ଛୁଇଁଲା ଗଗନ,

ଶତ୍ରୁଭୂମି ଯେବେ

 

କରିଲା ଦର୍ଶନ,

ମଉଳି ପଡ଼ିଲା

 

ପଲକ ମଧ୍ୟରେ,

ପୁଣି ନୂଆ ବୃକ୍ଷ

 

ଜନ୍ମିଲା ସତ୍ୱରେ ।

ପୁଣି ଝାଉଁଳଇ,

 

ପୁଣି ତରୁ ଉଠେ,

ପ୍ରକୃତି ଅନନ୍ତ

 

ଏ ଲୀଳା ପ୍ରକଟେ ।

•••

 

ଆଶ୍ରମେ ପ୍ରଭାତ

 

ମଙ୍ଗଳେ ଆଇଲା ଉଷା ବିକଚ-ରାଜୀବ-ଦୃଶା

ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,

କରପଲ୍ଲବେ ନିହାର- ମୁକ୍ତା ଧରି ଉପହାର

ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,

କଳକଣ୍ଠ କଣ୍ଠେ କହିଲା,

‘‘ଦରଶନ ଦିଅ ସତି, ରାତି ପାହିଲା ।’’

ଅରୁଣ କଷାୟ ବାସ, କୁସୁମ କାନ୍ତି ବିକାଶ

ପ୍ରଶାନ୍ତ ରୂପ, ବିଶ୍ୱାସ ଦିଅନ୍ତି ମନେ,

କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି

ଡାକୁଛନ୍ତି ଦୁଃଖରାଶି ଉପଶମନେ,

ଦେବା ପାଇଁ ନବଜୀବନ,

ସ୍ୱର୍ଗୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନ ।

ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ,

ସୁରଭି ନର୍ତ୍ତନେ ଥାଏ ଉଷା ନିଦେଶେ;

କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବପାଠ,

କଳିଙ୍ଗ ଅଇଲା ପାଟ ମାଗଧ ବେଶେ,

ଲଳିତ ମଧୁରେ କହିଲା,

‘‘ଉଠ ସତୀ-ରାଜ୍ୟରାଣି, ରାତି ପାହିଲା ।’’

ମୁନି ମୁଖ-ବେଦ ସ୍ୱନ ପୂର୍ଣ୍ଣ କଲା ଶ୍ୟାମବନ,

ଉଠିଲା ଭେଦି ଗଗନ ଉଚ୍ଚ ଓଁକାର

ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତିକି ଗତି

ବିହିଲା କି ସରସ୍ୱତୀ ବୀଣାଝଙ୍କାର;

ବେଳୁଁ ବେଳ ବନ ଉଜ୍ଜ୍ୱଳ,

ମନ୍ତ୍ର ବଳେ ଯେହ୍ନେ ବଢ଼ି ଆସିଲା ବଳ ।

ଏ କାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ

ଆସି ଜନକନନ୍ଦିନୀ ପାଶେ ଗମ୍ଭୀରେ,

ବୋଇଲେ, ‘‘ଉଠ ବୈଦେହି ! ଉଷା ସୁକୁମାର ଦେହୀ,

ଆସିଛି ଦର୍ଶନ ଦେଇ ତୋଷ ବିଧିରେ;

ତମସା ରହିଛି ଅନାଇଁ,

କୋଳ କରି ଥରେ ସୁଖ ଲଭିବା ପାଇଁ ।’’

ପଦ୍ମନୀ-ହୃଦ-ଶିଶିର- ବିନ୍ଦୁର ଖରରଶ୍ମିର

ପ୍ରତିବିମ୍ବ ପରି ବୀର ରାମ ମୂରତି,

ଶୋକ-ଜର୍ଜ୍ଜରିତ ଚିତ୍ତ- ଫଳକେ କରି ଚିତ୍ରିତ

ହେଲେ ଆସନୁ ଉତ୍‌ଥିତ ଜାନକୀ ସତୀ;

ନମି ଅନୁକମ୍ପା-ପୟରେ,

ବନ୍ଦିଲେ ଉଷାର ପଦ ସବିନୟରେ ।

ବୋଇଲେ ତାକୁ ପ୍ରଶଂସି, ‘‘ତୁମ୍ଭେ ତିମିର ବିଧ୍ୱଂସି-

ରବି-ଆଗମନ ଶଂସୀ ହୁଅ ସଂସାରେ,

ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ

ତହିଁ ଯାଉଛି ଶରଣ ଦୃଢ଼ ଆଶାରେ;

ଶୁଭ-ସଉରଭ ରସିକେ,

ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ ।’’

ଉତ୍ସୁକ ହୃଦୟେ ରାତ୍ରି- ଶେଷରେ ଆଶ୍ରମଧାତ୍ରୀ

ତମସା ନିର୍ମଳ-ଗାତ୍ରୀ ପବିତ୍ର-ଧାରା,

ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚି

ମଙ୍ଗଳ ପ୍ରଦୀପ ରଚି ପ୍ରଭାତୀ ତାରା

ମୁହୁର୍ମୂହୁ ମୀନ-ନୟନେ,

ଚାହୁଁଥିଲା ସୀତା-ସତୀ ଶୁଭାଗମନେ ।

ଉଟଜ ତାପସ କନ୍ୟା- ଗଣକ ଆଦର ବନ୍ୟା-

ପ୍ଳାବନେ ଜଗତ-ଧନ୍ୟା ସତୀ-ରତନ

ବାହାରି ଅବଗାହନେ ଅନୁକମ୍ପାଙ୍କ ଗହଣେ

ତମସା-ଧାର ବହନେ କଲେ ଗମନ,

ସତୀଙ୍କି ତମସା ଅଙ୍କରେ

ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ ।

ଅମୃତ ମଧୁର ସ୍ୱରେ ଭାଷିଲା ପରିତୋଷରେ,

‘‘ମାଆ ଗୋ, ମୋ ମାନସରେ ନ ଥିଲା ଆଶା,

କରିବ ଅଙ୍କେ ବିହାର ରାଜଲକ୍ଷ୍ମୀ-ହୃଦହାର

ସୀତା କରି ପରିହାର ଭୋଗ-ପିପାସା,

ଭାଗ୍ୟବତୀ ମୋତେ ସଂସାରେ

ବୋଲିବେ ତୋ’ ଯୋଗୁଁ ଏକା ପରଶଂସାରେ ।

ବନେ ବନେ ଭ୍ରମି ଭ୍ରମି ଗଣ୍ଡ-କୁହୁକେ ନ ଭ୍ରମି

ବହୁ ବାଧା ଅତିକ୍ରମି ସ୍ୱଚ୍ଛ ଜୀବନେ,

ଅନ୍ଧାର ଦୁଃଖ ନ ଗଣି ଆଲୋକ ସୁଖ ନ ମଣି

ଚାଲିଛିଁ ଦୂର ସରଣୀ ନତ ବଦନେ;

ଜନମ କରିଛି ସଫଳ,

ତୋୟ-ଦାନେ ତୋଷି ତୀରବାସୀ ସକଳ ।

ମନ୍ଦାକିନୀ, ଗୋଦାବରୀ ସେସବୁ ଗୁଣେ ମୋ’ ସରି

ତଥାପି ବର୍ଦ୍ଧନ କରିଛନ୍ତି ଗୌରବ,

ଲଭି ତୋ ପବିତ୍ର ପଦ- ଚିହ୍ନ ଅକ୍ଷୟ ସମ୍ପଦ

ଦିବିଷଦ-ପଦ-ପ୍ରଦଅଙ୍ଗ ସୌରଭ,

ତାହା ଥିଲା ମୋର ବାଞ୍ଛିତ,

ତଦଭାବେ ହେଉଥିଲି ମନେ ଲାଞ୍ଛିତ ।

କରିଥିଲି ଶୁଭକର୍ମ ବୋଲି ଆଣି ଦେଲା ଧର୍ମ

ସମୟେ ତୋତେ ମୋ ମର୍ମବାସନା ଜାଣି,

ପାଇଛିଁ ଦୁର୍ଲଭ ଧନ କରିବି ତୃପ୍ତି ସାଧନ

ନିତି କରି ସମ୍ବୋଧନ କୋଳକୁ ଆଣି;

ଅଙ୍ଗ ପରିମଳ ତୋହର

ହେବ ମୋର ଜୀବନର କଳୁଷ-ହର ।

ମୋ କୋଳେ-କେଳି ଚପଳ ସାରସ-ମରାଳଦଳ

କୋକ ଯୁଗଳ, ଯୁଗଳ ବକ ପଙ୍କତି

ତୋ ପୁଣ୍ୟମୟ ଶରୀର- କ୍ଷାଳନେ ପୂତ ମୋ ନୀର-

ପାନେ ବଞ୍ଚିଥିବେ ଚିରଦିନ ମା କତି;

କଳନାଦ ଛଳେ ତୋ ଯଶ

ଗାଇ ମୋ ଶ୍ରୁତିକି ତୋଷୁଥିବେ ଅଜସ୍ର ।

ପତିବ୍ରତା-ଅଙ୍ଗେ ଲାଗି ପବିତ୍ର ହେବାର ଲାଗି

ବ୍ରତତୀ ବାସ-ବିରାଗୀ ପ୍ରସୂନମାନ

ଦୂରୁଁ ଦୂରୁଁ ଝାସି ଝାସି ଧାଇଁଥିବେ ଭାସି ଭାସି

ଭ୍ରମୁଥିବେ ଆସି ଆସି ତୋ ସନ୍ନିଧାନ;

ସ୍ନାନ ସମୟେ ମୋ ପୟରେ

ଦୟାମୟି ! ନ ପେଲିବୁ ତାଙ୍କୁ ପୟରେ ।

ମୋ କୂଳେ ଚାଳି ଚରଣ କରିବୁ ମା ବିଚରଣ-

ବ୍ୟପଦେଶେ ବିତରଣ ଅମର କାନ୍ତି,

ତା ଲଭି ବନ-ପାଦପ- ରାଜି ହୋଇ ଦପ ଦପ

ବହିବେ ଅମର-ଦର୍ପ ବିହିବେ ଶାନ୍ତି;

ପଲ୍ଲବେ ପାଟଳ ଶ୍ୟାମଳ

ରୁଚିର ରୁଚି ରହିବ ଚିର ନିର୍ମଳ ।’’

•••

 

ରାମ-ପର୍ଶୁରାମ ଭେଟ

 

ଜନକଙ୍କୁ ବାହୁଡ଼ାଇ ଆଯୋଧ୍ୟାର ରାଏ,

ବୀରତୂର ବଜାଇଣ ବିଜେ କରି ଯାଏ ଯେ ।

ତପସ୍ଥାନେ ଥାଇଣ ଶୁଣିଲା ପର୍ଶୁରାମ,

ବୋଲେ କେଉଁ କ୍ଷତ୍ରି ଛାର କଲା କେଡ଼େ କର୍ମ ଯେ ।

କମ୍ପଇ ଅଧର କ୍ରୋଧେ ଅରୁଣ ନୟନ,

ପ୍ରଳୟ ପବନ ପ୍ରାୟେ ଶ୍ୱାସ ଘନ ଘନ ହେ ।

ଧୀରେଣ ଉଠନ୍ତେ ସାତ ସିନ୍ଧୁ ଦ୍ୱୀପ ଚଳି,

ପୁରନ୍ଦର କଟକେ ପଡ଼ିଲା ହାଲହୋଳି ହେ ।

ପରଶୁ ଝାମକି ରୋଷେ ବାହାସ୍ଫୋଟେ ମାରି,

ମେରୁ କି ଉପୁଡ଼ି ଗାଢ଼େ ସମୁଦ୍ରେଣ ପଡ଼ି ହେ ।

କୁରୁମ ଶଙ୍କଇ ଶିର ସଙ୍କୁଚେ ବାସୁକି,

ସମାଧି ଭାଙ୍ଗିଲା ମୁନି ବେଦପୁର ଶଙ୍କି ହେ ।

ପବନ ନ ବହେ ଡରେ ନିଃଶ୍ୱାସର ତାପେ,

ମହୀସ୍ଥଳୀ ଦୁଲୁ ଦୁଲୁ ରାଜାଗଣେ କମ୍ପେ ହେ ।

ରାମଙ୍କୁ ଚାହିଁଣ ପର୍ଶୁ ବୋଲଇ ଉତ୍ତର,

ଅପାର କାଳେ କଳଙ୍କ ଛାଡ଼ିବ ତୋହର ହେ ।

ଦଶରଥ ସଇନି ଭିତରେ ଶୁଭେ ଗୋଳ,

ଯୁଥ ଯୁଥ ହୋଇ ବୋବି ପାରନ୍ତି ଶୃକାଳ ହେ ।

ଆକାଶୁଁ ବରଷେ ନୀର ରୁଧିର ପ୍ରଖର,

ଦେଖି ଦଶରଥ ରାୟେ ହୋଇଲେ କାତର ଯେ ।

ଅଇଲା ଅଇଲା ବୋଲି ପଡ଼ିଲାକ ଧାଡ଼ି,

ପଳାଅନ୍ତି ରଥ ଗଜ ବନ ଗିରି ମାଡ଼ି ହେ ।

ଶିରେ କର ଦେଇ ଦଶରଥ ନୃପବର,

ଏବେ ହରାଇଲି ରାମ ମୋ ପ୍ରାଣଈଶ୍ୱର ହେ ।

ବୋଲେ ଦଶରଥ ବିଶ୍ୱାମିତ୍ର ମୁଖ ଚାହିଁ,

କେହୁଣି ଉପାୟେ ଏବେ ରାମରକ୍ଷା ହୋଇ ।

ଶିଶୁ ମୃଗଯୁଥେ ଯେହ୍ନେ ବନରାଜି ଧାଡ଼ି,

କରୀବର ହସ୍ତୁଁ କାହିଁ ଶୃଗାଳ ଉବୁରି ।

ସୁକୁମାର ଚେଲିକ ବୟସ ରଘୁନାଥ,

ମାଳତୀର ମାଳ ଯେହ୍ନେ ମାଳିନୀର ହାଥ ।

ଶିରୀଷ କୁସୁମ କାହିଁ କୁଳିଶ ପତନ,

ହେଳେ ହରାଇଲି ରାମ କଳମଲୋଚନ ।

ଶ୍ୟାମଳ ସୁନ୍ଦର ରାମ କମଳଲୋଚନ,

କହେ ମୃଦୁ ସଉରଭ ଅମିୟ ବଚନ ।

ସୁରଙ୍ଗ ଅଧର ରାମ ମନ୍ଦ ମନ୍ଦ ହାସ,

ସମ୍ମୁଖେ ଦେଖିବି ଏବେ ଏହାର ବିନାଶ ହେ ।

ବୋଇଲେ ଜୀବନ ମୁଁ ଛାଡ଼ିଚି ଏହିକ୍ଷଣି,

ଖାଇବି ଗରଳ କେହୁ କରେ ଦେବ ଆଣି?

ବୋଲେ ଗାଧିସୁତ ତୁମ୍ଭେ ଶୁଣ ନୃପବର,

ଅଜ୍ଞାନପଣେଣ ରାମ ଦୂଷଣ ନ କର ।

ପ୍ରତ୍ୟକ୍ଷେ ଦେଖିଲୁ ଶିବଶରାଶନ ଭାଙ୍ଗି,

ଶିଶୁ ସିନା ଶ୍ରୀରାମ ବହୁତ ଦୈତ୍ୟ ଗଞ୍ଜି ।

ଏକା କାଣ୍ଡେ ତାଡ଼କୀର ଘେନିଲେ ପରାଣ,

ଯଜ୍ଞ ରଖି ଅହଲ୍ୟାକୁ ଦେଲେ ଜୀବଦାନ ହେ ।

ନିରାକାର ବ୍ରହ୍ମ ରାମ ଅବତାର ଲୀଳା,

ପରେ ପରାଭବକୁ ନୁହଇ ତୋର ବଳା ହେ ।

ଲକ୍ଷେ ପର୍ଶୁରାମ ତାକୁ ଲିଖ ପ୍ରାୟେ ସିନା,

ବୀରଙ୍କର ଉପରେ ବୀରଧୂ ଯାର ବାନା ହେ,

ୟେବେ ପୂଜାବିଧି ଘେନି ବେଗେ ଆଗୁସାର,

ଦୂରୁ ପ୍ରଣମିତ ହୋଇ ଶିରେ ଯୋଡ଼ କର ହେ ।

ବୋଲିବ ହେ ଭୃଗୁପତି କାହାକୁ ତୋ ରୋଷ,

ତୋହୋରେ ପାଇଲି ବୃଦ୍ଧକାଳେ ଚାରିଶିଷ ।

ବିନୟ କହିଲେ ତୋର ଭକତି ଘେନିବ,

ପ୍ରସନ୍ନ ହୋଇଣ ତୋତେ ବାଟ ଛାଡ଼ିଦେବ ।

ଯେବେ ତୋର ବଚନ ଭାଙ୍ଗିବ ପର୍ଶୁଧର,

ଶ୍ରୀରାମ ଛାମୁରେ ଗର୍ବ ଭାଙ୍ଗିବ ତାହାର ହେ ।

ଶୁଣି ଦଶରଥ ରାୟେ ପୂଜାବି ଧିଘେନି,

ପର୍ଶୁରାମ ଛାମୁରେ ସେ କରଇ ଦଇନି ହେ ।

କର ଦୁଇ ଯୋଡ଼ିଣ ପଚାରେ ଦଶରଥ,

ଏତେ କାଳେ ମୋହର ହୋଇଲା ଚାରି ପୁତ୍ର ।

ବିଭାକରି ବରକନ୍ୟା ନେଉଅଛି ଘର,

ଏ ପୁଣ ନୁହଇ କ୍ଷତ୍ରିଙ୍କର ବୀରତୂର ।

ଶିଶୁମତି ପୁତ୍ର ମୋର ଅଟଇ ଶ୍ରୀରାମ,

ତୋହର କୋପକୁ ଏହୁ ନୁହଇ ଭାଜନ ।

କ୍ଷତ୍ରିଙ୍କୁ ଯେ ଏକୋଇଶ ବାର ହତ କଲ,

ଅପୁତ୍ରିକ ଦେଖି ମୋତେ ଅନୁଗ୍ରହ ଦେଲ ।

ତୁ ମହାପୁରୁଷ ମହୀ ଅବତାର ହରି,

କରୁଣାସାଗର ପର୍ଶୁ ଅବଧାନ କରି ହେ ।

ପୁଣି ପାଏ ପଡ଼ି ରାୟେ ଶିରେ ଯୋଡ଼ି କର,

ପ୍ରସନ୍ନେ ପରଶୁଧର କୋପ ଶାନ୍ତି କର ହେ ।

ୟେ ତୋର ଚରଣରେଣୁ ଲାଗୁ ରାମ ଶିରେ,

ଶରଣ ପଶିଲା ରାମ ୟେ ତୋର ପୟରେ ହେ ।

ହସି ରୋଷେ ଭୃଗୁପତି ବୋଲେ ଶୁଣ ଭାଇ,

ୟେମନ୍ତ କଥାରେ କି ଆମ୍ଭକୁ ଭଣ୍ଡିଆଇ ।

ରାମ ବଡ଼ ବୀର ବୋଲି ଆମ୍ଭେ ଶୁଣିଥିଲୁ,

ବାଟେଣ ବାରେକ ୟେବେ ଯୋଗେଣ ଭେଟିଲୁ ହେ ।

ଚାଲ ହେ ଦେଖିବା ରାମ କେତେକ ବୟସ,

କେମନ୍ତ ପ୍ରକାରେ ଧରିଅଛି ବୀରବେଶ ହେ ।

ଏତେ ବୋଲା ପର୍ଶୁରାମ କହିଲେ ନିରୁତ,

ଯହିଁ ଛନ୍ତି ରଘୁନାଥ ଧାମଇ ତୁରିତ ଯେ ।

ଧାତିକାରେ ଧାଇଁଣ ଦେଖଇ ଶିରୀରାମ,

ଦେଖି ଦଶରଥ ରାୟେ ହୋଇଗଲେ ଝାମ ହେ ।

ରାମକୁ ଦେଖିଲା ସୁଖାସନର ଉପର,

କାଳେ ଅଛି ସୀତା ସ୍ୱୟଂ ଲକ୍ଷ୍ମୀ ଅବତାର ହେ ।

ବରବେଶ ହୋଇ ରାମ ପ୍ରଳମ୍ବ ନ କଲେ,

କୋପଭର ହୋଇ ପର୍ଶୁ ବଚନ ବୋଇଲେ ହେ ।

ଆହୋ ରାମ ମହାଦେବ ଧନୁ କଲ ହତ,

ଅପାର କାଳର ସିନା ହୋଇଥିଲା କ୍ଷତ ହେ ।

ସେ ଧନୁ ଭାଙ୍ଗିଣ ଯେବେ ଏଡ଼େ ଗର୍ବ କର,

ଆଜ ସେ ଜାଣିବା ବଳ ବୀର୍ଯ୍ୟହିଁ ତୁମ୍ଭର ହେ ।

ଏ ମୋର ମହିମା ତୋର ଶୁଣିଲା କି ନାହିଁ,

ଏକୋଇଶ ବାର ପୃଥ୍ୱୀ ନିକ୍ଷେତ୍ର କଲଇଁ ।

କ୍ଷତ୍ରିଙ୍କ ରୁଧିର ମାଂସ ମସ୍ତକେ କୁଣ୍ଡ କଲି,

ତର୍ପଣ କରିଣ ପିତୃଲୋକଙ୍କୁ ତୋଷିଲି ହେ ।

ଏକୋଇଶ ବାର ପୃଥ୍ୱୀ ଲୋକଙ୍କୁ ମାଇଲି,

ଅପୁତ୍ରିକ ଦେଖି ତୋର ପିତାକୁ ରଖିଲି ହେ ।

ତାର ପୁତ୍ର ହୋଇ ତୁମ୍ଭେ ଏଡ଼େ କହ ଟାଣ,

ଆଜ ସେ ଜାଣିବା ବଳ ବୀର୍ଯ୍ୟ ପରାକ୍ରମ ହେ ।

ଶୁଣିଣ ଲକ୍ଷ୍ମଣ ବୋଲେ ଶୁଣ ପର୍ଶୁରାମ,

ଆମ୍ଭର ଛାମୁରେ କିପାଁ କହ ପରାକ୍ରମ ହେ ।

ଏମନ୍ତ ଲକ୍ଷ୍ମଣ କହେ ପର୍ଶୁଙ୍କୁ ଉତ୍ତର,

ତାହା ଶୁଣି ପର୍ଶୁରାମ କୋପେ ଗୁରୁତର ।

ରୋଷେ ଭୃଗୁପତି ବୋଲେ କୋପେ ଥରହର,

ଯେତେ କଥା କହୁ ସବୁ କଳିର ବେଭାର ହେ ।

ବୋଲନ୍ତି ଶ୍ରୀରାମ ତୁମ୍ଭେ ଶୁଣ ତପଚାରୀ,

ଦୁଷ୍ଟ ଖଣ୍ଟ ପୁଅ ସେ କହିଲା ଗର୍ବ କରି ହେ ।

ବୋଲେ ପର୍ଶୁରାମ ଦୁଷ୍ଟ ଖଣ୍ଟ ପୁଅ ଏହୁ,

ଯେତେକ କହଇ ବିଷକଣ୍ଠ ହାଦେ ସେହୁ ।

ପର୍ଶୁରାମ ବଚନ ଶୁଣିଣ ଲଇକ୍ଷଣ,

କହଇ ବଚନ ତାଙ୍କୁ ଇଷିତ ହାସେଣ ହେ ।

ମୁହିଁ ସେ ଅନନ୍ତ ସର୍ପ ଅଟଇ ଈଶ୍ୱର,

ଈଶ୍ୱର ପ୍ରତିଜ୍ଞା କାହିଁ ଗୁରୁର ଆଗର ହେ ।

ଏବେ ମୋତେ ପୂଜାବିଧି କର ମହାଯତି,

ବେଭାରେ ତୁମ୍ଭର ଗୁରୁ ମୁହିଁ ପଶୁପତି ହେ ।

କୋପେ ପର୍ଶୁରାମ ଚାହେଁ ଅରୁଣ ନୟନ,

ପ୍ରଚଣ୍ଡ ମୂରତି ଶ୍ୱାସ ଛାଡ଼େ ଘନ ଘନ ହେ ।

ମୋର ଧନୁଶର ଯେବେ ଆମଞ୍ଚି ପାରିବୁ,

ତେବେ ତୁମ୍ଭ ବଳ ବୀର୍ଯ୍ୟ ସମସ୍ତ ଜାଣିବୁ ହେ ।

ଏତେ ବୋଲି ଶ୍ରୀରାମଙ୍କୁ ବଢ଼ାଇ ଦେଲେ ବେଗ,

ଭୁଜ ବଢ଼ାବନ୍ତି ରାମ ଦରହାସ ଭାବ ହେ ।

ବଇଷ୍ଣବ ଧନୁ ରାମ ଧରିଣ ଶ୍ରୀକରେ,

କୋଳେ ଅଛି ସୀତା ସ୍ୱୟଂ ଲକ୍ଷ୍ମୀ ଅବତାରେ ହେ ।

ହାନ୍ଦୋଳାରେ ବସି ରାମ ପାଦେକ ବଢ଼ାଇ,

ନଖର ଉପରେ ଧନୁ ହୁଳ ସେ ବସାଇ ହେ ।

ବାମ କରେ ଶରାସନ ଧରି ରଘୁପତି,

ଆମଞ୍ଚିଣ କର୍ଣ୍ଣ ପରିଯନ୍ତେ ଓଟାରନ୍ତି ହେ ।

କର ଯୋଡ଼ି ପର୍ଶୁରାମ ପାଏ ପଡ଼ି ଶୋଇ,

ଜଗଜ୍ଜ୍ୟୋତି ଗୋଟି ତାର ଦେହରେ ସମ୍ଭାଇ ହେ ।

ପର୍ଶୁକୁ ଚାହିଁଣ ରାମ ହସି କହେ କଥା,

ଅପାର କାଳର ତୋର ଛଡ଼ାଇବା ବ୍ୟଥା ।

ଭାରତୀରୁ ବାଣେକ ପୂରୋଇ ରାମ ସନ୍ଧି,

କହ ପର୍ଶୁରାମ କେଉଁ ଠାବକୁ ହିଁ ବିନ୍ଧି ହେ ।

ଆରତ ହୋଇଣ ପର୍ଶୁ ଶୋର ପାହେ ପଡ଼ି,

ସାମବେଦେ କଲା ସ୍ତୁତି ଶିରେ ନବ ଯୋଡ଼ି ହେ ।

ବୋଲେ ପର୍ଶୁରାମ ରାମ ସ୍ୱର୍ଗକଇ ବିନ୍ଧ,

ମୋହ ପିତା ଶତ୍ରୁ ଗତ ପାପ ଏବେ ରୁନ୍ଧ ହେ ।

ଶୁଣି ରଘୁନାଥ ବେଗେ ବିନ୍ଧିଲୋକ ଚିତ୍ତ,

ବୋଲନ୍ତି ସ୍ୱର୍ଗ ତୁ ନ ଯିବୁ ମୁନିବର ହେ ।

କ୍ଷତ୍ରିଙ୍କର ବାହୁବଳେ ତପୀଙ୍କର ତପ,

ନ ବିଚାରି କିପାଇଁ ଅର୍ଜିଲ ଏଡ଼େ ପାପ ହେ ।

ଏକୋଇଶ ବାର କିଆଁ କ୍ଷତ୍ରିଙ୍କୁ ବାଧିଲ,

ବ୍ରାହ୍ମଣ ହୋଇଣ ଏତେ ପାପ ଅରଜିଲ ହେ ।

ଶ୍ରୀରାମ ଶ୍ରୀମୁଖ ଚାହିଁ ପର୍ଶୁରାମ ବୋଲି,

ପିତୃଭକ୍ତି ଛଳେ ସିନା ରାଜାଙ୍କୁ ବଧିଲି ହେ ।

ବୋଲନ୍ତି ଶ୍ରୀରାମ ତୁମ୍ଭେ ଶୁଣ ଭୃଗୁପତି,

ପିତାର ଆଜ୍ଞାରେ ବାରେ ବଧିଲ ଯୁବତୀ ହେ ।

ଏବେ ତୁମ୍ଭେ ଦକ୍ଷିଣ ଜଳଧି ତଟେ ଯାଅ,

ଜଗନ୍ନାଥ ଦରଶନେ ମହାପାତକ ଛଡ଼ାଅ ହେ ।

ରାମ ମୁଖୁଁ ଏ ବଚନ ଶୁଣି ପର୍ଶୁ ଧର,

ବିନୟ ଭାବେଣ ସ୍ତୁତି କଲେକ ଅପାର ହେ ।

ଶ୍ରୀରାମଙ୍କୁ ପ୍ରଦକ୍ଷିଣ କରି ଭୃଗୁପତି,

କ୍ଷେତ୍ରବର ଶ୍ରୀପୁରୁଷୋତ୍ତମେ ଚଳିଯାନ୍ତି ହେ ।

ରାମ ଆଜ୍ଞା ପାଇଁ ପର୍ଶୁରାମ ଚଳିଯାଇ,

ତପସ୍ୟା କରନ୍ତି ସେହୁ କ୍ଷେତ୍ରବରେ ରହି ହେ ।

•••

 

ବିୟୋଗେ

 

ମୁଦିଲ ପରା ଆହା ନୟନ ବେନି

ନବ-ଯୌବନ-ଶିରୀ-ସମ୍ପଦ ଘେନି,

ତେଜିଲ ଭବ ମର-ମାନବ ପରି

ଜନ୍ମିଲେ ଦେହ ବହି ଅବଶ୍ୟ ମରି ।

କୋମଳ ତନୁ ତବ ରୂପ-ମୋହନ

କି ବେଗେ ଧୂଳି ଶେଯେ ହେଲା ଲଗନ ।

ବହିଲା ଯେବେ ମହୀ ତାକୁ ଉଦରେ,

ଚାଲିବେ ନର ତାର ଶଯ୍ୟା ଉପରେ

ଅଯତ୍ନେ ଅବା କ୍ରିଡା-କୁତୁକେ ମାତି

ଚରଣରେଣୁ ତହିଁ ଉପରେ ପାତି;

ସହିବି ନିକି ଦେଖି ମୁଁ ସେ ସମାଧି

ପ୍ରାଣଧନର ମୋର ? ମରିବି କାନ୍ଦି ।

ନ ଲୋଡ଼େ ଜାଣିବାକୁ ରହିଲ କାହିଁ,

ତୁମ୍ଭ ସମାଧି ସ୍ଥଳେ ନ ଯିବି ଚାହିଁ ।

ଉଠନ୍ତୁ ତହିଁ ଗୁଳ୍ମ-ଲତା ଗହଳେ,

ଦେଖିବି ନାହିଁ ମୁଁ ସେ ସମାଧି ସ୍ଥଳେ ।

ଜାଣିଲି ଏତିକି ମୁଁ ତୁମ୍ଭ ପ୍ରୟାଣେ,

ମୂରତି ଯାର ଲେଖା ମୋର ପରାଣେ

ଧରା-ଧୂଳିରେ ହେଲେ ପାରେ ସେ ମିଳି,

ମରଣମୁଖେ ସବୁ ପକାଏ ଗିଳି ।

ସୃତି-ସମାଧି-ସ୍ତମ୍ଭ ତୋଳି ସେଠାରେ,

ବାନ୍ଧି ରଖିବି ତାକୁ ମୃତ୍ୟୁ ଏପାରେ ।

ବୋଲିବ ଡାକି ଆହା । (ନାହିଁ ମୁଁ ଇଚ୍ଛି)

‘‘ଭଲ ପାଉଛି ଯାକୁ ନୁହେ ସେ କିଛି ।’’

ଅନ୍ତିମ ଯାଏ ଥିଲ ପ୍ରେମ-ସଙ୍ଖାଳି,

ତୁମ୍ଭରି ପରି ପ୍ରୀତି ରଖିଛି ପାଳି,

କଦାପି ଭୁଲି ନାହିଁ ଗତ ଜୀବନେ

ଏକ୍ଷଣି ଭୁଲିବି କି ହୃଦ-ରତନେ ?

ମୃତ୍ୟୁ-କଷଟିରେ ଯେ ପ୍ରେମ କଷିତ

ବାର୍ଦ୍ଧକ୍ୟେ ବିରୋଧେ ତା ନୁହେଁ ଦୂଷିତ,

ପାରିବ କେ ତା ହରି ବଞ୍ଚନାବଳେ,

ଧ୍ରୁବତାରା ସେ ଆନ ତାରାମଣ୍ଡଳେ ।

ମୋଠାରେ ଦୋଷ କିଛି ଦେଖିଲ ନାହିଁ

ବୋଲି ମୋହର ହେବ ଦୁଃଖ କିମ୍ପାଇ ?

ମୋ ମନେ ଦେଖିନାହିଁ ପରିବର୍ତ୍ତନ

ତୁମ୍ଭଙ୍କୁ ବାଧିଥାନ୍ତା ହୃଦ-ରତନ ।

ଯାପିଲେ ଦୁହେଁ ସୁଖମୟ ଜୀବନ,

ଦୁଃଖ ଯା କିଛି ମୋହ ଭାଗ୍ୟେ ଲିଖନ ।

ବାଳ-ଅରୁଣ ଭୀମ ଦୁର୍ଦ୍ଦିନ ଖରେ

ଉଦିଦ ତୁମ୍ଭ ପାଇଁ ଆଉ କି ଥରେ ?

ସେହି ଅସ୍ୱପ୍ନ-ନିଦ୍ରାସ୍ଥିର ନିଶ୍ଚଳ,

ଆଜି ଲୋଡ଼ଇ ମୁହିଁ ହୋଇ ବିକଳ ।

ଯାଇଛି ବୋଲି କିପାଁ ହେବି ବିଧୁର

ସହସା ସୁଷମା ସେ ପ୍ରାଣବନ୍ଧୁର ?

ଦେଖିଥାନ୍ତି ସିନା ସେ ସୌମ୍ୟ ମୁରତି

ମଉଳିଥାନ୍ତି ଧୀରେ ହରାଇ ଜ୍ୟୋତି,

ସହସା ଲଭିଲା ସେ ମଉଳି ନାହିଁ,

ଭଲ ଦେଖିଛି ତେବେ ଦୁଃଖ କିମ୍ପାଇ !

ଫୁଲ୍ଲ କୁସୁମ ହସି ଶୋଭା ସମ୍ଭାରେ

କାଳ-ବ୍ୟାଧର ପଡ଼େ ଆଦ୍ୟ ଶିକାରେ ।

ସଜ ଥାଉଁ ସେ ତୋଳି ନ ନେଲେ ବଳେ,

ପାଖୁଡ଼ା ଝାଡ଼ି ସିନା ପଡ଼ିବ ତଳେ;

ଆହୁରି ଦୁଃଖେ ଫାଟିଯିବ ହୃଦୟ,

ବସି ଦେଖିଲେ ତାର କ୍ରମ ବିଲୟ,

ବରଂ ହୋଇବ ଆଜି ସେ ଫୁଲ ତୋଳା,

ମଉଳି ନୋହୁ କାଲି ଧୂଳିରେ ବୋଳା ।

ନଶ୍ୱର-ରକ୍ତ ମାଂସ ଶରୀର ବହି

ଦେଖି କିଏ ସେ କହ ପାରିବ ସହି-

ବିହି ବିଧାନେ ଯାହା ସୌନ୍ଦର୍ଯ୍ୟେ ସାର,

କାଲିକି ସତେ ହେବ କି ନାରଖାର !

ବନ୍ଧୁ ହେ, ପାରିଥାନ୍ତି ଧଇର୍ଯ୍ୟ ଧରି

ତୁମ୍ଭଙ୍କୁ ଦେଖି ହତ ଶିରୀ କିପରି ?

ପ୍ରଭାତ ପରେ ଆସିଥାନ୍ତା ଯେ ରାତି

ଧରନ୍ତା ବିପରୀତେ କୁତ୍ସିତ ଭାତି !

କେଡ଼େ ସରାଗେ ବନ୍ଧୁ, ମେଘବିହୀନ

ହୋଇ ବିତିଲା ତୁମ୍ଭ ଜୀବନ-ଦିନ !

ଅନ୍ତିମ ଯାଏଁ ଥିଲ କେଡ଼େ ସୁନ୍ଦର

ମୋ ଦଗ୍ଧ ହୃଦୟର ସୁଧା-ନିର୍ଝର !

ମଉଳି ନାହିଁ ଲିଭିଗଲା ପ୍ରତିଭା,

ସହସା ଲିଭେ ଯଥା ଜ୍ୟୋତିଷ୍କ ବିଭା,

ଗଗନୁ ଯେବେ ତାରା ଖସଇ ତଳେ,

ସୁନ୍ଦରୀ ନିଜ ତେଜେ ଆହୁରି ଜଳେ ।

ପାରିଲେ କରି ପୂର୍ବପରି କ୍ରନ୍ଦନ,

ସଫଳ ହୋନ୍ତା ମୋର ଅଶ୍ରୁ ମୁଞ୍ଚନ ।

ନ ଥିଲି ଯାହା ପାଶେ ପ୍ରାଣ-ପ୍ରତିମ,

ଜଗିଲି ନାହିଁ ତୁମ୍ଭ ଶଯ୍ୟା ଅନ୍ତିମ,

ନିରେଖି ଥାନ୍ତି ତୁମ୍ଭ ବଦନ ଶେଷେ,

ହୃଦୟେ ଭିଡ଼ି ଥାନ୍ତି କ୍ଷୀଣ ଆଶ୍ଳେଷେ,

ପାଶରେ ଥିଲେ ଧରି-ଥାଆନ୍ତି ଧୀରେ,

ତୋଳି ମୋ କୋଳେ ତବ ଆନତ ଶିରେ ।

ଘେନି ମୋ ବୃଥା ସ୍ନେହ-ପୁଷ୍ପ-ଚନ୍ଦନ

କରିଥାନ୍ତି ମୁଁ ତୁମ୍ଭ ମନୋରଞ୍ଜନ,

ଶୁଖିଲା ଯେ ସ୍ନେହର ପୂତ ନିର୍ଝର

ଆଉ ତା ବିନିମୟ ନାହିଁ ଏଥର ।

ପାଶୋରି ମୋତେ ବନ୍ଧୁ ଯାଇଛ ଯେବେ,

ପ୍ରେମ-ଫାଶରୁ ତବ ମୁକ୍ତ ମୁଁ ଏବେ ।

ଚିର ସ୍କନ୍ଦର ଯାହା ଅଛି ଜଗତେ

ପାଇ ପରେ ମୁଁ ଖୋଜି ମୋ ମନୋମତେ,

ଏ ଲାଭେ ଯେଉଁ ସୁଖ ତୁଚ୍ଛ ତା ମଣେ,

ସୁଖ ସେ ଯାହା ମିଳେ ତୁମ୍ଭ ସ୍ମରଣେ;

ତୁମ୍ଭ ଅମର-ଆତ୍ମା ଦୁଃଖ-ରଜନୀ

ଘୋର ଅନନ୍ତ ତମୋମୟୀ ସଜନି !

ଭେଦିଣ କେବେ କେବେ ବାହୁଡ଼ି ଆସେ,

ବିରହ-ବ୍ୟଥା-ଖିନ୍ନ ମୋହରି ପାଶେ,

କି ଆନନ୍ଦେ ମୋ ହୃଦ ନାଚେ ସେ କାଳେ,

ସ୍ୱରଗ-ସୁଖ ତୁଚ୍ଛ ମଣେ ମୁଁ ଢାଳେ,

କାହିଁ ସେ ସୁଖ ଯାହା ତୁମ୍ଭ ସ୍ମରଣେ,

ଜୀବିତ କାଳ କଥା ଛାଡ଼ିଲେ କ୍ଷଣେ ?

•••

 

ଜଗତେ କେବଳ

 

ଜଗତେ କେବଳ

ଜନେ ହସିବେ ଏହି ତହୁଁ ଫଳ ।।

ଜଟିଳ କରି ସ୍କନ୍ଧ ରୋମରାଜି,

ଶିଖରି ଦରୀରେ ମରୁ ଗରଜି,

କୁଟୀଳ କରି ଭ୍ରୂକୁଟୀକୁ ଚାହୁଁ,

ସରମା କଣ୍ଠରବ ହେବ କାହୁଁ ।୧।

ଅଲକତଦ୍ରବ ନୟନେ ବୋଳି,

ରସାଳ ଗହଳ ଶାଖାରେ ଖେଳି,

କବଳ କରୁ ତା କଳିକଳାପ,

କାକ କି କରିବ ପଞ୍ଚମାଳାପ ।୨।

ବରଜି-ରସେ ଦେଇ ମାନସ,

ବରଜି ବରଷେ ଅମେଧ୍ୟ ଗ୍ରାସ,

ଦେହେ ମନ୍ଦାକିନୀରଜ ଲଗାଇ,

ଗ୍ରାମଶୂକର କି ହୋଇବ ଗାଈ ।୩।

ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ,

ନିଜ ତୁଣ୍ଡେ ମଣ୍ଡି ଖଣ୍ଡି-ମୃଣାଳ,

ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ,

ତେବେ ସେ ମରାଳୀ ବୋଲାଇବ କି ।୪।

ରଞ୍ଜି ନାୟକ ରଙ୍ଗେ ଚୋପଦାର,

ଖଞ୍ଜିଲେ ହେଲେ ଚାବୁକ ସବାର,

ଖିଲାଇଲେ ହେଲେ ନାନା ମସଲା,

ତୁରଙ୍ଗ ହୁଏ କି ରାସଭ ପିଲା ।୫।

ବଦରିକା ବନେ ନିତ୍ୟ ନିବାସ,

କରି ଆଚରି ବ୍ରତ ଉପବାସ,

ପ୍ରଯତ୍ନ କଲେହେଁ ନାନା ପ୍ରକାର,

ଖଦ୍ୟୋତ ହୋଇବ କି ପ୍ରଭାକର ।୬।

ଯାହାକୁ ଯାହା କରିଛି ଦଇବ,

ତହୁଁ ନିକି ସେ ଅନ୍ୟଥା ହୋଇବ ।

ଘେନିଲେ ହେଲେ ଯତ୍ନେ କୋଟି ପୁଟ,

ପିତ୍ତଳୁଟି କେହି ହେବ ପୁରଟ ।୭।

ଦେବ ଉପବନେ ହୋଇ ଜନିତା,

ସ୍ୱବାସ-ମଦରୁ ଜବସଲତା,

ତୁଳସୀ ତୁଲେ ହେଲେ ମିଶାମିଶି,

ତାହାକୁ ଯେବେ ବୋଲିବା ତୁଳସୀ ।୮।

ସମଜଇ ନାହିଁ ସ୍ୱଜାତି ଭାଷା,

କହିଲେ ଯେ ହୁଅଇ ଲୋକହସା,

ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ,

ଷଡ଼ଦର୍ଶୀ ତୁଲେ କହେ ବିବାଦ ।୯।

ଦେହରେ ବାଜିଲେ ପର ନିଶ୍ୱାସ,

ସମ୍ଭାଳିବାକୁ ନ ଥାଇ ବିଶ୍ୱାସ,

ନିର୍ଲଜ୍ଜ ଅଭିମାନେ ଡେରି ଛାତି,

ହାତୀ ଲଢ଼ାଇକି ବାନ୍ଧିଲେ କାତି ।୧୦।

କରମରେ ତ ହୋଇଅଛି ଲେଖା,

କରମର୍ଦକ ଯୋଗ୍ୟ ତୋର ଶିଖା ।

ହରମଉଳି ଯୋଗ୍ୟ ଚମ୍ପକକୁ,

ଭରମରେ ବୃଥା ପଡ଼ି ଯା ଟାକୁ ।୧୧।

ଚାରୁ ଚନ୍ଦ୍ରୋଦୟା ମଶାଲ ପାଖେ,

ବହ୍ନି ଜାଳିବ ଯେବେ ଦିଗ ମୁଖେ

ଧାତା ତ କରି ନାହିଁ ତା ନିକାଶ,

କିରୂପେ ହେବ ସେପରି ପ୍ରକାଶ ।୧୨।

•••

 

ଟୀକା

ରେଲ ଉପରେ ଚିଲିକା ଦର୍ଶନ

 

କବି ରେଲରେ ଯିବା ସମୟରେ ଚିଳିକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ କବିବର ରାଧାନାଥ ରାୟଙ୍କର ‘ଚିଲିକା’ କାବ୍ୟକୁ ମନେ ପକାଇ କବିତାଟି ରଚନା କରିଛନ୍ତି ।

 

ନିମେଷେ–କ୍ଷଣେ । ଶାଶ୍ୱତ ସେବକ–ଚିର ସେବକ । ସୁଷମାଗ୍ରାହକ–ସୌନ୍ଦର୍ଯ୍ୟ ଉପାସକ । ଯେଉଁ ହାର–ଏହା ରାଧାନାଥାଙ୍କ ‘ଚିଲିକା’ କାବ୍ୟକୁ ଲକ୍ଷ୍ୟ କରାଯାଇଛି । କର୍ମବନ୍ଧେ–କର୍ମମୟ ଜୀବନ ମଧ୍ୟରେ । ହିରଣ୍ମୟ–ସୁନେଲି । ଶକ୍ରଚାପ–ଇନ୍ଦ୍ରଧନୁ ।

 

ଗାନ୍ଧାରୀର ଆଶୀର୍ବାଦ

 

ଗାନ୍ଧାରୀର ଆଶୀର୍ବାଦ ‘ମହାଭାରତ’ର ଗୋଟିଏ ଚିତ୍ର ଅବଲମ୍ବନରେ ଲିଖିତ । ଯୁଦ୍ଧକୁ ଯିବା ପୂର୍ବରୁ ଦୁର୍ଯ୍ୟୋଧନ ଜୟ ଲାଭ କରିବା ପାଇଁ ମାତାଙ୍କର ଆଶୀର୍ବାଦ ପ୍ରାର୍ଥନା କଲେ । ମାତ୍ର ଗାନ୍ଧାରୀ ବାତ୍ସଲ୍ୟ–ସ୍ନେହରେ ବିଚଳିତ ନ ହୋଇ ‘ଧର୍ମର ଓ ସତ୍ୟର ଜୟ ହେଉ’ ବୋଲି କହିଲେ । କବିତାଟିରେ ଗାନ୍ଧାରୀଙ୍କ ଚରିତ୍ରର ମହତ୍ତ୍ୱ ଲକ୍ଷ୍ୟ କରିବାର ବିଷୟ ।

 

କୁରୁଚୂଡ଼ାମଣି–ଦୁର୍ଯ୍ୟୋଧନ । ଅରାତି–ଶତ୍ରୁ । ବରାଭୟ-ଅଭୟବାଣୀ । ଅକ୍ଷର–ନିତ୍ୟ-। ଧର୍ମନନ୍ଦନ–ଯୁଧିଷ୍ଠିର । ନିଗାଡ଼ି–ବୁହାଇ । ହିୟା–ହୃଦୟ । ଫୁଟିଲା–ବାହାରିଲା । ଅଭିମାନ–ବଡ଼ିମା, ଗର୍ବ ।

 

ସିଦ୍ଧାର୍ଥଙ୍କ କରୁଣା

 

ଯେଉଁ ସବୁ ଘଟଣା ଦେଖି ବୁଦ୍ଧଦେବଙ୍କ ମନରେ ବିଶ୍ୱପ୍ରେମ, ଜୀବପ୍ରୀତି ଓ ଅନନ୍ତ କରୁଣାର ଉତ୍ସ ଖେଳିଥିଲା, କବିତା–ବର୍ଣ୍ଣିତ ଘଟଣାଟି ସେଥିମଧ୍ୟରୁ ଏକତମ ।

 

ବିଶ୍ୱବ୍ୟାପୀ ଝରଣା–ବୁଦ୍ଧଦେବଙ୍କର ଯେଉଁ ଦୟାର ପ୍ରବାହରେ ଜୀବସଂସାର ସ୍ନିଗ୍‌ଧ ଓ ମୁଗ୍‌ଧ ହୋଇଥିଲା, ଏହି ଶରାହତ ପକ୍ଷୀର ବ୍ୟଥାରୁ ତାହାର ଆରମ୍ଭ ହୋଇଥିଲା । ଅମିୟ–ଅମୃତ-

 

ମହାନଦୀରେ ଜ୍ୟୋତ୍ସ୍ନା-ବିହାର

 

ଏହି କବିତାଟିରେ କବି ମହାନଦୀ ବକ୍ଷରେ ଜ୍ୟୋତ୍ସ୍ନା-ରାତ୍ରିରେ ନୌକା ଯୋଗେ ଭ୍ରମଣ କରିବା ସମୟରେ ବାରବାଟୀ ଦୁର୍ଗ ପ୍ରଭୃତିକୁ ଦେଖି ଓ ଉତ୍କଳର ଅତୀତ ଗୌରବକୁ ସ୍ମରଣ କରି ପାଠକ ମନରେ ସେହି ଭାବ ଜାଗରଣ କରିବା ନିମିତ୍ତ ଚେଷ୍ଟା କରିଅଛନ୍ତି ।

 

ଉତ୍ତରୀ–ଚାଦର । ନଭସୀମନ୍ତିନୀଦଳ–ଦିଗଙ୍ଗନା । ତନ୍ଦ୍ରାଳସ–ମଳିନ । ଜ୍ୟୋତ୍ସ୍ନାମଦିରା ମତ୍ତ–ଜ୍ୟୋତ୍ସ୍ନା ପାନକରି ମତ୍ତ ହୋଇଥିବା ମଳୟ । ଶୀକର–କ୍ଷୁଦ୍ର ଜଳକଣା । ନିଷେକ–ବର୍ଷଣ । କ୍ଷେପଣୀ–କାତ । ଚିତ୍ରଗୃହ–ଚିତ୍ରଶାଳା । ପ୍ରଲୀନ–ଲୟପ୍ରାପ୍ତ । ଅବଗାହେ–ଗାଧୋଇବାକୁ । ଅଭ୍ରାକଷ–ଗଗନସ୍ପର୍ଶୀ । ଦୁର୍ଗ–ବାରବାଟୀଦୁର୍ଗ । ପଦଚ୍ଛବି–ପାଦ ଚିହ୍ନ । ମତ୍ତବାଣୀ–ସ୍ତ୍ରୀ । ଉତଳା-ଅଧୀର । ବାଦ୍ୟନହବତ–ଏକ ପ୍ରକାର ବାଦ୍ୟ । ପ୍ରତିଗିର–ପ୍ରତିଧ୍ୱନି । ଭୂମା–ସର୍ବବ୍ୟାପୀ ପୁରୁଷ । ଅସରା–ଅସରନ୍ତି ।

 

ମଥୁରା ମଙ୍ଗଳ

 

କବି ଭକ୍ତଚରଣଙ୍କର ସୁପ୍ରସିଦ୍ଧ ‘ମଥୁରା ମଙ୍ଗଳ’ କାବ୍ୟରୁ ଏହି ସୁପରିଚିତ କବିତାଟି ଗୃହୀତ । ଅକ୍ରୂର ସହ କୃଷ୍ଣଙ୍କ ମଥୁରା ଯାତ୍ରା କାଳରେ ଯଶୋଦାଙ୍କ ବିଳାପ ଏହାର ବର୍ଣ୍ଣିତ ବିଷୟ । ଏଥିରେ କବି ବାତ୍ସଲ୍ୟ ରସର ପୂର୍ଣ୍ଣ ନିଦର୍ଶନ ଦର୍ଶାଇ ଅଛନ୍ତି ।

 

ଶ୍ୟାମଘନ–କୃଷ୍ଣଚନ୍ଦ୍ର । ଜୀବନ-ଜଳ । ଝସ–ମାଛ । ଚତୁଃସମ-ଚନ୍ଦନ, ଅଗୁରୁ, କସ୍ତୁରୀ,କୁଙ୍କୁମର ଲେପ । ସୁଷମ–ସୁନ୍ଦର । ହରି–ଚନ୍ଦ୍ର । କାଛି–ଛୋଟ ଲୁଗା । ଗଣ୍ଡ ଜଳେ–ଗଭୀର ପାଣିରେ । ନାଳିଆଇଁ–କଅଁଳେଇ ।

 

ହିମାଳୟ

 

କବି ହିମାଳୟ ଅଞ୍ଚଳରେ ପରିଭ୍ରମଣ କରିବା ସମୟରେ ତାହାର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇଥିଲେ ଏବଂ ସେହି ସମୟରେ ତାଙ୍କ ମନରେ ହିମାଳୟ ତଥା ଭାରତର ପୌରାଣିକ ଓ ଐତିହାସିକ ସ୍ମୃତି ଜାଗି ଉଠିଥିଲା । ଏହି କବିତାରେ ସେ ସେହି ସୌନ୍ଦର୍ଯ୍ୟ ଓ ସ୍ମୃତିର ଉଲ୍ଲେଖ କରିଅଛନ୍ତି ।

 

ମ୍ୟାଗ୍ନୋଲିୟା–ଚମ୍ପା ଜାତୀୟ ବଡ଼ ଫୁଲ । ରୋଡ଼ଡେନଡ଼୍ରନ–ଏକ ପ୍ରକାର ଫୁଲ (ଏହା ସେଠାରେ ବେଶୀ ଥାଏ) । ଶୈଳଜା–ପାର୍ବତୀ । ସାଧନାର ସେ ପୁଣ୍ୟବାରତା–ଗୀତା । ସାମ୍ୟମୈତ୍ରୀ ଅହିଂସାର ବାଣୀ–ଏଠାରେ ବୌଦ୍ଧ ଧର୍ମକୁ ଲକ୍ଷ୍ୟ କରାଯାଇଛି ।

 

କପଟପାଶା

 

ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କ ସହିତ ପଶା ଖେଳି ଧନ, ସମ୍ପଦ, ସିଂହାସନ ଓ ଦ୍ରୌପଦୀଙ୍କୁ ପଣ ରଖି ହାରିବା ପରେ ଦୁଃଶାସନ ଦୁର୍ଯ୍ୟୋଧନଙ୍କର ଆଦେଶରେ ଦୌପଦୀଙ୍କୁ ସଭାସ୍ଥଳକୁ ଆଣିବାକୁ ଗଲେ । ଦୁଃଶାସନଙ୍କର ବରୁଣାବନ୍ତ ଗମନ ଓ ଦ୍ରୌପଦୀଙ୍କୁ ଅନ୍ୱେଷଣ ଏହି ଛାନ୍ଦର ବର୍ଣ୍ଣିତ ବିଷୟ ।

 

ବାରୁଣାବନ୍ତନଗର–ପାଣ୍ଡବଙ୍କର ନିବାସ ସ୍ଥାନ । ହସ୍ତିନା-ଆଧୁନିକ ଦିଲ୍ଲୀ । ମାନଗୋବିନ୍ଦ–ଦୁର୍ଯ୍ୟୋଧନ । ପୀଢ଼–ପଣ । ଭାନୁମତୀ ସାଇଁ–ଦୁର୍ଯ୍ୟୋଧନ । ପରାଭବ–ତିରସ୍କାର-। କଟାଳ–ଜିଦ୍‌।

 

ବିରହିଣୀ

 

ଏ କବିତା ଅଷ୍ଟାଦଶ ଶତାବ୍ଦୀରେ ଲୋକପ୍ରିୟ ଇଂରେଜ କବି William Wordsworth ଙ୍କ ଲିଖିତ ‘‘Laodameia’’ ର ଅନୁବାଦ । Laodameia ଜଣେ ଗ୍ରୀକ୍‌ସେନାପତିଙ୍କ ପତ୍ନୀ । ଉକ୍ତ ସେନାପତି ଟ୍ରୟ ଅଭିଯାନରେ ଯାତ୍ରା କରି ଗ୍ରୀକ୍‌ମାନଙ୍କ ପକ୍ଷରୁ ସର୍ବପ୍ରଥମେ ନିହିତ ହୋଇଥିଲେ । ଏହି କବିତା ତାଙ୍କର ଉଦ୍ଦାମ ଆସକ୍ତିର ଉଜ୍ଜ୍ୱଳ ଚିତ୍ର ।

 

ପାଣି–ହସ୍ତ । ପ୍ରତ୍ୟୟ–ବିଶ୍ୱାସ । ଉଷତ–ଆନନ୍ଦିତ । ଅଳୀକ–କ୍ଷଣିକ । ପୁଷ୍ପିତ–ପ୍ରସ୍ଫୁଟିତ । ଧୁଣାଧୁଣା–ଖଣ୍ଡ ଖଣ୍ଡ । କାମଜ ପ୍ରେମ–ଦେହର ସମ୍ବନ୍ଧ ଥିବା ପ୍ରେମ । ସନାତନ–ଶାଶ୍ୱତ ।

 

ଆଶ୍ରମେ ପ୍ରଭାତ

 

କବିତାଟି ସୀତାଙ୍କ ବନବାସ ସମୟରେ ତମସା ନଦୀକୂଳର ପ୍ରଭାତ ବର୍ଣ୍ଣନା । କବି ତମସା ନଦୀମୁଖରେ ସତୀ ସୀତାଙ୍କର ପୂତ ଚରିତ୍ର ବର୍ଣ୍ଣନା କରିବାକୁ ଯାଇ ପାଠକ....... ପବିତ୍ର ଭାବ ଉଦ୍ରେକ କରାଇ ଅଛନ୍ତି ।

 

 

ବିକଚ–ପ୍ରସ୍ଫୁଟିତ । ନୀଦାର–କାକର । କଳକଣ୍ଠ–କୋକିଳ । ନିଦେଶେ–ଆଜ୍ଞାରେ । କଳିଙ୍ଗ–କଜଳପାତୀ ପକ୍ଷୀ । ମାଗଧ–ଭାଟ । ବୈକୁଣ୍ଠ–ବିଷ୍ଣୁ । ଅନୁକମ୍ପା–ନାମ ବିଶେଷ । ଖର–ରଶ୍ମି–ସୂର୍ଯ୍ୟ । ଚିତ୍ତ–ଫଳକେ–ଚିତ୍ତପଟ । ଶଂସୀ–ସୂଚକ । ପ୍ରଭାତୀ ତାରା–ଶୁକ୍ର ତାରା । ଉଟଜ–ପତ୍ର କୁଡ଼ିଆ । ଗଣ୍ଡ–କୁହୁକେ–ଗଭୀର କୁହୁକୁରେ । ସରଣୀ–ପଥ । ତୋୟ–ପାଣି । ମନ୍ଦାକିନୀ–ଚିତ୍ରକୂଟର ନଦୀ । ଦିବିଷଦ–ଦେବତା । କୋକ–ଚକ୍ରବାକ । ବ୍ରତତୀ–ଲତା । ବ୍ୟପଦେଶେ–ଛଳରେ, ବ୍ୟାଜରେ । ପୟରେ–ଜଳରେ, ପାଦରେ ।

 

ରାମ-ପର୍ଶୁରାମ ଭେଟ

 

ଉକ୍ତ କବିତାଟି ‘ରାମ–ବିଭା’ କାବ୍ୟର ଅଂଶ ବିଶେଷ । ରାମଚନ୍ଦ୍ର ଜନକଙ୍କ କନ୍ୟା ସୀତାଙ୍କୁ ବିବାହ କରି ଅଯୋଧ୍ୟାକୁ ଫେରିବା ସମୟରେ ପର୍ଶୁରାମଙ୍କୁ ଭେଟିଲେ । ସେଠାରେ ପର୍ଶୁରାମଙ୍କ ଗର୍ବ ଖର୍ବ ହେବା ବିଷୟ ଏଥିରେ ବର୍ଣ୍ଣିତ ହୋଇଛି ।

 

ଶୃକାଳ–ଶୃଗାଳ, ବିଲୁଆ । କେହୁଣୀ–କୌଣସି । ଚେଲିକ–ଚେଲା । କୁଳିଶ–ବଜ୍ର । ଗାଧିସୁତ–ବିଶ୍ୱାମିତ୍ର । ଦୂଷଣ–ଦୋଷ । ବୀରଧିବାମ–ବୀରବାମ । ଭୃଗୁପତି–ପର୍ଶୁରାମ । ସୁଖାସନ–ଭଲ ଆସନ । ବେରାରେ–ବ୍ୟବହାରରେ । ହାନ୍ଦୋଳା–ପାଲିଙ୍କି । ଭରତୀରୁ–ଶର ମୁଣାରୁ । ପ୍ରଦକ୍ଷଣ–ଡାହାଣ କରରେ ବୁଲିବା ।

 

ବିୟୋଗେ

 

ଉକ୍ତ କବିତାଟି Lord Byron ଙ୍କର ‘‘Elegy on Thyeza’’ ନାମକ କବିତାର ଅନୁବାଦ । ଏଥିରେ କବି ତାଙ୍କର ପ୍ରିୟଜନର ମୃତ୍ୟୁରେ ଗଭୀର ମନୋବେଦନା ପ୍ରକାଶ କରିଛନ୍ତି ।

 

ଲଗନ-ଲଗ୍ନ । କୁତୁକେ–କୌତୁକେ । ପ୍ରୟାଣେ–ମୃତ୍ୟୁରେ । ମୃତ୍ୟୁ–କଷଟିରେ–ମୃତ୍ୟୁରୂପକ କଷଟି ପଥରରେ । ବିଧୁର–ବ୍ୟାକୁଳ । ଫୁଲ୍ଲ–ପ୍ରସ୍ଫୁଟିତ । ଶୋଭା ସମ୍ଭାରେ–ସୌନ୍ଦର୍ଯ୍ୟର ଆଡ଼ମ୍ବରରେ । ଭାତି–ଦିପ୍ତି, ଦ୍ୟୁତି ।

 

ଜଗତେ କେବଳ

 

ଜଗତରେ ପ୍ରକୃତରେ ସାର ପଦାର୍ଥ ସାର ରୂପେ ଗୃହୀତ ହୁଏ । କୃତ୍ରିମ ପଦାର୍ଥ କୌଣସି ସମୟରେ ପ୍ରାକୃତିକ ପଦାର୍ଥ ସଙ୍ଗେ ତୁଳନୀୟ ନୁହେଁ, ଏହି ସତ୍ୟଟି କବିତାରେ ଉଦାହରଣ ସହିତ ବର୍ଣ୍ଣିତ ହୋଇଅଛି ।

 

ଶିଖରୀଦରୀ–ଗିରିଗୁହା । ସରମା–କୁକୁର । ଭ୍ରୂକୁଟୀ–ଭ୍ରୁକୁଞ୍ଚନ । କଣ୍ଠୀରବ–ସିଂହ । ଅଲକତ–ଅଳତା । କବଳ–ଗ୍ରାସ । କଳି–କଳାପ–କଢ଼ିସବୁ । ବରଜୀବରସେ–ଗାଈ ଦୁଧରେ । ଅମେଧ୍ୟ–ବିଷ୍ଠା । ମନ୍ଦାକିନୀରଜ–ଗଙ୍ଗାର ଧୂଳି ବା ମାଟି । ଖଣ୍ଡମୃଣାଳ–ପଦ୍ମନାଡ଼ଖଣ୍ଡ । ବକୀ–ବଗୁଲୀ । ମରାଳୀ–ରାଜହଂସୀ । ଚୋପଦାର–ଆଗୁଆ ପାଇକ । ରାସଭ–ଗଧ । ବଦରିକାବନ–ବରକୋଳି ବଣ ବା ତୀର୍ଥବିଶେଷ । ଖଦ୍ୟୋତ–ଜୁଳୁଜୁଳିଆ ପୋକ । ପୁରଟ–ସୁନା । ଜବସଲତା–ଦୁବଘାସ । ନିର୍ବେଦ–ବୈରାଗ୍ୟ । ଷଡ଼ଦର୍ଶା–ସାଂଖ୍ୟଯୋଗାଦି ଷଡ଼ଦର୍ଶନ ଜାଣିବା ପଣ୍ଡିତ । କାତି–କଟୁରୀ । କରମର୍ଦ୍ଦକ–କରଞ୍ଜଫୁଲ । ଶିଖା–ମସ୍ତକ । ହରମଉଳି–ଶିବଙ୍କ ଶିର । ଟାକି–ଅପେକ୍ଷା କରି ।

Image